ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ପାଇକ ମହାସଂଘ

ଭୁବନେଶ୍ୱର- : ବକ୍ସି ଜଗବନ୍ଧୁ ପାଇକ ଜଗତର ମହାନାୟକ ଥିଲେ । ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ଯାହାଙ୍କ ନେତୃତ୍ୱରେ ପାଇକମାନେ ମେଳି ହୋଇ ଇଂରେଜ ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।  ଆଜି ବାରହାତ ଖଣ୍ଡା ବୁଲାଇ ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଅଶୋକ କୁମାର ପାଲଟାସିଂହ ମହାନାୟକ ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ବିଜ୍ଞାପନ କରିଛନ୍ତି ।  ବକ୍ସି ଜଗବନ୍ଧୁଙ୍କ ଶହୀଦ ଦିବସ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମ୍ୟୁଜିୟମ ଛକଠାରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପାଇକ ଆଖଡ଼ା ଦଳମାନେ ନିଜର ପାରମ୍ପରିକ ପରିପାଟି ଓ ହାତରେ ଖଣ୍ଡା, ଢାଲ, ମୁଦ୍‌ଗର, ବନାଟି, ପଟ୍ଟାବାଡ଼ି, କଟିଛୁରୀ, ବର୍ଚ୍ଛା, କୁନ୍ତ, ଅସ୍ତ୍ରଶସ୍ତ୍ର ଧରି ସାମରିକ ବୀର ବାଦ୍ୟରେ ମହାନାୟକ ବକ୍ସି ଜଗବନ୍ଧୁଙ୍କୁ ସଲାମୀ ପ୍ରଦାନ କରିଥିଲେ । ବକ୍ସି ଜଗବନ୍ଧୁ ପାଇକମାନଙ୍କର ଅସ୍ମିତା ଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ ପାଇକମାନଙ୍କୁ ଆହ୍ୱାନ ଜଣାଇଥିଲେ । ରାଜ୍ୟ ସଂଯୋଜକ ପାଇକ ବିଶାରଦ କେଦାର ଦାସ, ବକ୍ସିଙ୍କ ପାଇକ ମେଳି ଓ ନିସ୍କର ଜମିରେ ଇଂରେଜର ପାଇକ ମାରଣ ନୀତି ଉପରେ ପାଇକମାନଙ୍କ ସମୁଖ ଯୁଦ୍ଧ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ ବକ୍ସିଙ୍କ ଆଦର୍ଶକୁ ପାଇକମାନେ ଅନୁସରଣ କରିବା ସହିତ ରାଜ୍ୟ ସରକାର ପାଇକ ଏକାଡ଼େମୀ ଗଠନ କରିବାକୁ ଦାବି ଜଣାଇଥିଲେ । ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ ବାଣପୁର ମାଟିରେ ପାଇକ ପୁଅର ରଣହୁଙ୍କାର ଉପରେ ବିବରଣୀ ଦେବା ସହିତ ଆଗାମୀ ଦିନରେ ପାଇକ ଆଖଡ଼ାକୁ ସ୍କୁଲ୍‌, କଲେଜରେ ସାମିଲ୍ କରି ଏହାକୁ ସ୍କାଉଟ, ଗାଇଡ଼୍‌, ଏନ୍‌ସିସି ଭଳି ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବର୍ଷିୟାନ ପାଇକଗୁରୁ ଭାସ୍କର ସୁନ୍ଦରାୟ, ପୁରୀ ଜିଲ୍ଲା ଗଡ଼ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ଚିଲିକା ପାଇକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ସଭାପତି ରଞ୍ଜନ ବିଶୋଇ, ଢେଙ୍କାନାଳ ଜିଲ୍ଲା ପାଇକ ମହାସଂଘ ଉପସଭାପତି ହାପି ଗଡ଼ନାୟକ, ସୁକାନ୍ତ ଷଣ୍ଢ, ଆଇନ୍‌ଜୀବୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଗଡ଼ପାତ୍ରପଡ଼ା ବାଲୁଙ୍କେଶ୍ୱର ପାଇକ ଆଖଡ଼ା ଦଳର ଶ୍ରେଷ୍ଠ ପ୍ରଦର୍ଶନ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା । ସମସ୍ତ ଆଖଡ଼ା ଦଳକୁ ରାଜ୍ୟ ସଭାପତି ପ୍ରଶଂସା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ