ବନ୍ଦନା ହରିଚନ୍ଦନଙ୍କୁ ମିଳିଲା ଡ଼କ୍ଟରେଟ ଉପାଧି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ବିଶିଷ୍ଟ ସମାଜସେବୀ ତଥା ଡୁଡ୍ନୁ ଫାଉଣ୍ଡେସନର ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନଙ୍କୁ ସମ୍ମାନଜନକ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଇଡ୍କଲ ଅଡ଼ିଟୋରିୟମଠାରେ ସମର୍ଥ ଓଡ଼ିଶା ପକ୍ଷରୁ ଆୟୋଜିତ ‘ୟୁ ଆଣ୍ଡ ମି’ କାର୍ଯ୍ୟକ୍ରମରେ ଶ୍ରୀମତୀ ହରିଚନ୍ଦନଙ୍କୁ ଏହି ଉପାଧି ଦିଆଯାଇଛି । ଏହି ଉପାଧି ଜର୍ମାନୀର ଇଣ୍ଟରନ୍ୟାସନାଲ ପିସ୍ ୟୁନିଭରସିଟି ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ରଘୁନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲାଂଦେଶ ଲ’ ସୁପ୍ରିମକୋର୍ଟର ଆଟର୍ଣ୍ଣି ଡଃ ମହମ୍ମଦ କୁତୁବ୍ ଉଦ୍ଦିନ୍ ଚୌଧୁରୀ, ଝାଡ଼ଖଣ୍ଡ ପ୍ରଜ୍ଞାନ ଇଣ୍ଟରନ୍ୟାସନାଲ ୟୁନିଭରସିଟିର କୁଳପତି ଡଃ ସୁରେଶ କୁମାର ଅଗ୍ରୱାଲ, ସମର୍ଥ ଓଡ଼ିଶା ଫାଉଣ୍ଡେସନର ପ୍ରତି ।ତା ଅଧ୍ୟକ୍ଷ ଡଃ ଅଭୟ ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ସୁଭଶ୍ରୀ ଦାସ ପ୍ରମୁଖ ଯୋଗଦେଇ ଶ୍ରୀମତୀ ହରିଚନ୍ଦନଙ୍କୁ ସମ୍ମାନଜନକ ଡ଼କ୍ଟରେଟ ଉପାଧି ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଡୁଡ୍ନୁ ଫାଉଣ୍ଡେସନ ପକ୍ଷରୁ ଏହାର ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନଙ୍କ ଦ୍ୱାରା ଲିଖିତ ‘ଡୁଡ୍ନୁ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ହରିଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ପୁସ୍ତକ ସମାଜର ଅନଗ୍ରସର ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଉପରେ ପର୍ଯ୍ୟବେସିତ ।


