‘ପାଇକ ସର୍ଦ୍ଦାରମାନଙ୍କ ବନ୍ଧୁମିଳନ’

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପାଇକ ଆଖଡ଼ାର ପାଇକ ସର୍ଦ୍ଦାରମାନଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗଡ଼ମାଣିତ୍ରୀର ରାମଚଣ୍ଡୀ ପୀଠରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବ ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗଦାନ କରିଥିଲେ । ପ୍ରଥମେ ମା ରାମଚଣ୍ଡୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପାଇକ ସର୍ଦ୍ଦାରମାନଙ୍କ ଦ୍ୱାରା ତରବାରୀ ଚାଳନା ଓ ସମରକଳା ବା ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ବିଭିନ୍ନ ଅସ୍ତ୍ର ଶସ୍ତ୍ର ସାହାଯ୍ୟରେ ଆତ୍ମରକ୍ଷା, ଆକ୍ରମଣ, ପ୍ରତିଆକ୍ରମଣ, ବ୍ୟୁହ ରଚନା ଉପରେ ସମରକ୍ରୀଡ଼ା ପ୍ରଦର୍ଶନ କରିଥିଲେ । ପାଇକ ବିଶାରଦ କେଦାର ଦାସ ଖଣ୍ଡାରେ ଆକ୍ରମଣ ଢାଲରେ ପ୍ରତିରକ୍ଷା, ଶିରିପା, ଭରଷା, ଧାରେଣୀ, ବେଢା, ଘେରା, ଆକ୍ରମଣ ଓ ପ୍ରତି ଆକ୍ରମଣ ଉପରେ ତରବାରୀ ପ୍ରଦର୍ଶନ କରିଥିଲେ । ଦଳବେହେରା ମାନୋରଞ୍ଜନ ପଶ୍ଚିମକବାଟ ଏକାସାଥୀରେ ଚାରୋଟି ତଲବାରୀ ଚାଳନା କରିଥିଲେ । ପାଇକ ସର୍ଦ୍ଦାରମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ଶୈଳୀରେ ସମରକଳା ପ୍ରଦର୍ଶନ ଉପରେ ଆଲୋକପାତ କରାଯାଇଥିଲା । ବର୍ଷିୟାନ ଗୁରୁ ଭାସ୍କର ସୁନ୍ଦରାୟ ପ୍ରତ୍ୟେକ ଗ୍ରାମରେ ପାଇକ ଆଖଡ଼ା ଆରମ୍ଭ କରିବା ପାଇଁ ଉପଦେଶ ଦେଇଥିଲେ । ରାଜ୍ୟ କୋଷାଧ୍ୟକ୍ଷ ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ବରିଷ୍ଠ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଜିଲ୍ଲା ସମ୍ପାଦକ ବିଜୟ ବେହେରା, ଚିଲିକା ବାଣପୁର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଥା ଜିଲ୍ଲାର ସମସ୍ତ ପାଇକ ସର୍ଦ୍ଦାର ଯୋଗଦାନ କରିଥିଲେ ଏବଂ ଶେଷରେ ଭୋଜିଭାତ ଆସରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରିବା ଅବସରରେ ପରସ୍ପରକୁ ସାମରିକ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ