ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍‌ ରହିଛି ବୋଲି କହିଛନ୍ତି ନବୀନ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । କରୋନା ମୁକାବିଲା ନେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଓଡ଼ିଶାକୁ ଆସିବା ୨ ମାସରୁ ଉର୍ଦ୍ଧ୍ବ ହୋଇଗଲାଣି । କରୋନା ଯୋଗୁଁ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସର୍ବତ୍ର ପ୍ରଶସଂନୀୟ ହୋଇ ପାରିଛି । ତେବେ ଏହି କରୋନାକୁ ମୁକାବିଲା କ୍ଷେତ୍ରରେ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶସଂନୀୟ ବୋଲି କହିଛନ୍ତି ନବୀନ । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।ଓଡ଼ିଶାର ମୃତ୍ୟୁ ହାର ସାରା ବିଶ୍ବରେ ସର୍ବନିମ୍ନ ରହିଛି ବୋଲି କହିଛନ୍ତି ନବୀନ ।
ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଆସନ୍ତା ମଇ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫ଟା ୩୦ ସମୟରେ ଦୁନିଆରେ ଯେକୌଣସି ସ୍ଥାନରେ ଥିଲେ ବି, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ। ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ପରାମର୍ଶ ଦେଇଛନ୍ତି । ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ। ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ