ବନ୍ୟାପାଣିରେ ଭାଷିଯାଇ ଚାଷୀ ମୃତ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଯଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନିପୁର ଗ୍ରାମରେ ଜଣେ ଚାଷୀ ବନ୍ୟାଜଳରେ ଭାଷିଯାଇ ମୃତୁ୍ୟବରଣ କରିଛନ୍ତି । ଗତ ଶନିବାର ରାତିରେ ବୈତରଣୀ ନଦୀରେ ବନ୍ୟା ଆସି ହାଟଡିହି ବ୍ଲକର ଆଇତିପୁର, ଗେଡମା, ହାବଳେଶ୍ୱର, ସମଣା, ଆମ୍ବୋ ଆଦି ପଞ୍ଚାୟତର ବିଭିନ୍ନ ଗାଁକୁ ଜଳବନ୍ଦୀ କରିଥିଲା । ଏଥିରେ ଜାବିନିପୁର ଗ୍ରାମର ଏକର ଏକର ଚାଷଜମି ବନ୍ୟାପାଣିରେ ବୁଡି ଯାଇ ବିଲରେ ସ୍ରୋତ ଚାଲିଥିଲା । ଏହି ସମୟରେ ଜାବିନିପୁର ଗ୍ରାମର ଟଭା ମୁଣ୍ଡାଙ୍କ ପୁଅ ଧୁଶାସନ ମୁଣ୍ଡା(୩୦) ବିଲରେ ରୋଇଥିବା ଧାନର ସ୍ଥିତି ପରଖିବାକୁ ନିଜ ବିଲକୁ ଯାଇ ଆଉ ଫେରି ନଥିଲେ । ଗତକାଲି ରାତି ସୁଧା ସେ ନଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ଆଜି ଟିକେ ପାଣି କମିଯିବା ପରେ ତାଙ୍କ ମୃତଦେହ ଭାଷୁଥିବା ଦେଖି ଗ୍ରାମବାସୀମାନେ ପାଣି ଭିତରୁ ଧୁଶାସନଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରୁଛି ।


