ବରୀର ସୁନା ଝିଅ ଦୀପ୍ତି ପତିଙ୍କ ସଫଳତା

ବରୀ,(ଚୈତନ୍ୟ ଜେନା) : ଯାଜପୁର ଜିଲ୍ଲାର ବରୀ ବ୍ଲକ୍‌ ଅନ୍ତର୍ଗତ ବାଲିବିଲି ଗ୍ରାମ ପୁନର୍ବାର ଗର୍ବ ଓ ଗୌରବର ଏକ ନୂତନ ଅଧ୍ୟାୟର ସାକ୍ଷୀ ହୋଇଛି। ସେହି ମାଟିର ଏକ ପ୍ରତିଭାଶାଳୀ ସନ୍ତାନ ଦୀପ୍ତି ପତି, ନିଜର ଅଦମ୍ୟ ପରିଶ୍ରମ, ଅକ୍ଳାନ୍ତ ସାଧନା ଓ ଅଦ୍ଭୁତ ମେଧା ପ୍ରତିଭା ବଳରେ ଯାଜପୁରକୁ ଗର୍ବିତ କରିଛନ୍ତି।ଦୀପ୍ତି ପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ  ଦାମୋଦର ପତିଙ୍କ ସୁଯୋଗ୍ୟ ସନ୍ତାନ, ଶିକ୍ଷାକ୍ଷେତ୍ରରେ ଏକ ପରେ ଏକ ଅସାଧାରଣ ସଫଳତା ହାସଲ କରି ନିଜ ଅଞ୍ଚଳର ନାମକୁ ଉଜ୍ଜ୍ୱଳ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଖ୍ରୀଷ୍ଟ କଲେଜ, କଟକରେ ଅର୍ଥନୀତି (ଇକୋନୋମିକ ଅନର୍ସ) ବିଭାଗରେ ‘ବିଭାଗୀୟ ଟପ୍ପର’ ଭାବେ ସମ୍ମାନିତ ହେବା, ତାଙ୍କର ଅଦ୍ୱିତୀୟ ମେଧା ଓ ଶିକ୍ଷାପ୍ରତି ଅପାର ନିଷ୍ଠାର ଏକ ଉଜ୍ଜ୍ୱଳ ପ୍ରତିଫଳନ। ଏହା ସହିତ ବର୍ତ୍ତମାନ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସେମିଷ୍ଟରରେ ମଧ୍ୟ ଶୀର୍ଷସ୍ଥାନ ଅଧିକାର କରି ଦୀପ୍ତି ପୁନର୍ବାର ପ୍ରମାଣ କରିଛନ୍ତି ଯେ ନିଷ୍ଠା, ସାଧନା ଓ ଅଦମ୍ୟ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ଭାବରେ ପଦ ଚୁମ୍ବନ କରେ। ସ୍ୱର୍ଗତ ଆଡଭୋକେଟ୍ ଦାମୋଦର ପତି କେବଳ ଜଣେ ସଫଳ ଆଇନଜୀବୀ ନୁହେଁ  ସେ ନ୍ୟାୟ, ଆଦର୍ଶ ଓ ସତ୍ୟନିଷ୍ଠାର ଜୀବନ୍ତ ପ୍ରତୀକ ଥିଲେ। ତାଙ୍କର ଆଦର୍ଶ, ଶିକ୍ଷାପ୍ରତି ଅଗାଧ ଆସ୍ଥା ଓ ସଂସ୍କାର ଆଜି ଦୀପ୍ତିଙ୍କ ଜୀବନପଥରେ ପ୍ରେରଣାର ଦୀପଶିଖା ହୋଇ ଜଳୁଛି। ଦୀପ୍ତିଙ୍କ ଏହି ଉଲ୍ଲେଖନୀୟ ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ବାଲିବିଲି ଗ୍ରାମ ଓ ଯାଜପୁର ଜିଲ୍ଲା ପାଇଁ ମଧ୍ୟ ଗୌରବର ବିଷୟ। ଦୀପ୍ତିଙ୍କ ଏହି ଅନନ୍ୟ ସଫଳତା ଆଜିର ଯୁବପିଢ଼ୀ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ଦୃଷ୍ଟାନ୍ତ। ତାଙ୍କର ଏହି ସଫଳତାର ଯାତ୍ରା ଭବିଷ୍ୟତରେ ଆହୁରି ଅନେକ କୀର୍ତ୍ତିମାନ ସୃଷ୍ଟି କରୁ ଏହା ହିଁ ସମସ୍ତଙ୍କର ଆଶା ଓ ଶୁଭେଚ୍ଛା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ