ବଳିଆ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, କମୁଛି ସଂକ୍ରମଣ, ପରିବାରକୁ ଫେରିବ ଜଗା କଟକ
କଟକ ବଡ଼ ମେଡିକାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବଳିଆର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ଆସିଛି । ନିମୋନିଆ ବା ସଂକ୍ରମଣ ଧୀରେଧୀରେ କମୁଛି । ତଥାପି ବିଭିନ୍ନ ସମୟରେ ହଠାତ୍ ଜ୍ୱର ଆସୁଛି । ତେଣୁ ତାର ଆଣ୍ଟିବାୟୋଟିକରେ କିଛିଟା ପରିବର୍ତ୍ତନ କରାଯାଇଛି । ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ତାକୁ ଭେଣ୍ଟିଲେଟରରେ ରଖାଯାଉଛି । ଅନେକ ସମୟରେ ବି ସେ ସ୍ୱାଭାବିକ ଭାବେ ନିଃଶ୍ୱାସ, ପ୍ରଶ୍ୱାସ ନେଇପାରୁଛି ବୋଲି ଏସ୍ସିବି ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ତଥା ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ଟିମର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଜଗା କିନ୍ତୁ ଫିଟ୍ ଅଛି । ତେଣୁ ସେ ତା ‘ ବାପା, ମା ‘ଙ୍କ ସହ ଘରକୁ ଯାଇପାରିବ ଓ ଏଥିପାଇଁ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ପ୍ରଫେସର ମିଶ୍ର କହିଛନ୍ତି । ପ୍ରଫେସର ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ଏମ୍ସରେ ବଳିଆର ଶ୍ୱାସନଳୀରେ ଛିଦ୍ର କରାଯାଇଥିଲା । ଏଠାରେ ମଧ୍ୟ ସେହି ସମାନ ସ୍ଥାନରେ ଛିଦ୍ର କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଉପାଧ୍ୟାୟ, ଡାକ୍ତର ଜ୍ଞାନରଂଜନ ବେହେରା, ଡାକ୍ତର ସରୋଜ ଶତପଥୀ ପ୍ରମୁଖଙ୍କ ନେତୃତ୍ୱରେ ତା ‘ର ଚିକିତ୍ସା ଚାଲିଛି । କିଛିଦନ ଭିତରେ ତା ର ଜ୍ୱର କମିଯିବ ବୋଲି ଆଶା କରାଯାଉଛି । ଏମ୍ସ କର୍ତ୍ତପକ୍ଷଙ୍କ ସହ ବିଭିନ୍ନ ସମୟରେ ଭିଡିଓ କନଫରେନ୍ସିଂରେ ଚିକତ୍ସା ସଂପର୍କରେ ଆଲୋଚନା କରାଯାଉଛି । ଏପରିକି ହ୍ୱାଟ୍ସ୍ ଅପ୍ ଗ୍ରୁପରେ ମଧ୍ୟ ବଳିଆର ଚିକିତ୍ସା ସଂପର୍କରେ ଆଲୋଚନା ଜାରି ରହିଛି । ଯେହେତୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ସମୟରେ ଟିମ୍ରେ ଓଡିଆ ଡାକ୍ତର ଆଶୋକ ମହାପାତ୍ର ଥିଲେ, ତେଣୁ ତାଙ୍କ ସହିତ ଯୋଗାଯୋଗ କରାଯାଉଛି ।


