ଝାଡ଼ଖଣ୍ଡୀ ହାତୀଙ୍କୁ ତଡ଼ିଲେ ଓଡି଼ଶା ହାତୀପଲ

ଜଙ୍ଗଲରେ ପ୍ରାଣୀଙ୍କ ମଧ୍ୟରେ ଲଢ଼େଇ ସାଧାରଣ କଥା । କିନ୍ତୁ ଜଙ୍ଗଲ ବାହାରେ ଦୁଇ ରାଜ୍ୟର ହାତୀପଲଙ୍କ ମଧ୍ୟରେ ଲଢ଼େଇ ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏହି ଲଢ଼େଇରେ ଓଡି଼ଶା ହାତୀଦଳ ବିଜୟୀ ହେବା ସହ ଝାଡ଼ଖଣ୍ଡ ହାତୀପଲଙ୍କୁ ତଡ଼ି ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରେ ହାତୀପଲଙ୍କ ଏଭଳି ଲଢ଼େଇ ଲୋକଙ୍କୁ ଆମୋଦିତ କରିବା ସହ କଷ୍ଟ ବି ଦେଇଛି । କାରଣ ହାତୀଙ୍କ ଲଢ଼େଇରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି । ଦୁଇ ହାତୀପଲ ଏକର ଏକର ପାଚିଲା ଧାନକୁ ଦଳି ଚକଟି ଦେଇଥିବା ଜଣାପଡ଼ିଛି । କୁତ୍ରା ବ୍ଲକରେ ବଣୁଆ ହାତୀ ଆତଙ୍କ ଥମିବାର ନାଁ ଧରୁନାହିଁ । କିଛିଦିନ ପୂର୍ବେ ହାତୀପଲ ବଡଗାଁ ରେଞ୍ଜ ଅନ୍ତର୍ଗତ ଗଙ୍ଗାଜଳ ନିକଟରେ ବିଜୁ ଏକ୍ସପ୍ରେସ୍ ୱେ ନିକଟରେ ଦିନ ତମାମ୍ ଉତ୍ପାତ କରିବାରୁ ଦୀର୍ଘ ସମୟ ଧରି ଏହି ରାସ୍ତା ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଗତକାଲି କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଓଡ଼ିଶା ହାତୀପଲର ୨୫ଟି ହାତୀ ଜୁରାଜାମ ପାହାଡ଼ରୁ ଓହ୍ଲାଇ ସିଆଲଯାର ନିକଟରେ ପହଞ୍ଚିବା ପରେ ସେଠାରେ ଝାଡ଼ଖଣ୍ଡ ହାତୀପଲର ୨୩ଟି ହାତୀଙ୍କ ସହ ସେମାନଙ୍କର ଭୟଙ୍କର ଲଢ଼େଇ ହୋଇଥିଲା । ପ୍ରାୟ ଘଣ୍ଟାଏ ଧରି ହାତୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ସମୟରେ ଉଭୟ ହାତୀପଲଙ୍କ ଗର୍ଜନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଓଡ଼ିଶା ହାତୀପଲ ଝାଡ଼ଖଣ୍ଡୀ ହାତୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା । ଲଢେଇ ଶବ୍ଦ ଶୁଣିବା ପରେ ତୁନମୁରା, ଅଟାମୁଣ୍ଡା ଓ ସିଆଲଯାରର ଲୋକେ ବାଣ ଫୁଟାଇ ଓ ନିଆଁ ଜାଳି ଘଉଡାଇବା ଯୋଗୁଁ ଉଭୟ ହାତୀପଲ ବିପରୀତ ଦିଗରେ ଚାଲି ଯାଇଥିଲେ । ହାତୀପଲଙ୍କ ମଧ୍ୟରେ ଲଢେଇରେ ସିଆଲଯାର ଗାଁର ବହୁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି । ଉଭୟ ହାତୀପଲ ଜୁରାଜାମ ପାହାଡରୁ ଓହ୍ଲାଇ ବାରମ୍ବାର ଗାଁମୁହାଁ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ