ବାତ୍ୟା ‘ନିଭାର’ର ସ୍ଥଳଭାଗକୁ ପ୍ରବେଶ କରିବା ପୂର୍ବରୁ ଚେନ୍ନାଇରେ ଅତି ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣପୂର୍ବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ବୁଧବାର ସକାଳେ ତାମିଲନାଡୁର ଚେନ୍ନାଇରେ ଅତି ପ୍ରବଳ ବୃଷ୍ଟିପାତ ହୋଇଛି। ବାତ୍ୟା ଓ ବୃଷ୍ଟିପାତ କାରଣରୁ ଇଣ୍ଡିଗୋ ତା’ର ୨୪ଟି ବିମାନ (୧୨ଟି ଅବତରଣ ଓ ୧୨ଟି ଉଡ଼ାଣ) ବାତିଲ କରିଛି। ଭୟଙ୍କର ସାମୁଦ୍ରିକ ବାତ୍ୟା ‘ନିଭାର’ ସମ୍ପ୍ରତି ଚେନ୍ନାଇ ଠାରୁ ୩୮୦ କିଲୋମିଟର ଦୂରରେ ରହି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ୧୨ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏହା ଅତି ଭୟଙ୍କର ରୂପ ଧରି ବୁଧବାର ରାତିରେ ପୁଦ୍ଦୁଚେରୀ ନିକଟରେ ସ୍ଥଳଭାଗକୁ ପ୍ରବେଶ କରିବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପଲାନିସ୍ୱାମୀ ଆଜି ଦିନକ ଛୁଟି ଘୋଷଣା କରିଛନ୍ତି। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଦୋକାନ ବଜାର ବନ୍ଦ କରାଇବା ସହ ସର୍ବସାଧାରଣ ସମାଗମ ନିଷେଧ କରିଛନ୍ତି। ଏହାଛଡ଼ା ହଜାର ହଜାର ଉଦ୍ଧାରକାରୀଙ୍କୁ ବିଭିନ୍ନ ଅଞ୍ଚଳରେ ମଧ୍ୟ ମୁତୟନ କରାଯାଇଛି। ଏପର୍ଯ୍ୟନ୍ତ ୩୧୨ଜଣ ଲୋକଙ୍କୁ ଚେନ୍ନାଇ ବିଭିନ୍ନ ରିଲିଫ୍‌ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ୮ଟା ସୁଦ୍ଧା ସହର ମଧ୍ୟରେ ଉପୁଡ଼ି ପଡ଼ିଥିବା ପ୍ରାୟ ୧୧୬ଟି ଗଛ କାଟି ପରିଷ୍କାର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ