ବାଧାମୁକ୍ତ ମାଲ ପରିବହନ ସେବା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରୁଛି ରେଳବାଇ

(1) ଯୋଗାଣ ଶୃଙ୍ଖଳାକୁ ନିରନ୍ତର ଚାଲୁ ରଖିବା ଲାଗି ଗତ ୪ଦିନ ମଧ୍ୟରେ ୧.୬ ଲକ୍ଷରୁ ଅଧିକ ୱାଗନ ଜରିଆରେ ହୋଇଛି ମାଲ ପରିବହନ; ୧ ଲକ୍ଷରୁ ଅଧିକ ୱାଗନ ଜରିଆରେ କରାଯାଇଛି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ. (2) ଖାଦ୍ୟଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ ଓ ପନିପରିବା, ପେଟ୍ରୋଲିୟମ ଉତ୍ପାଦ, କୋଇଲା ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ସାରା ଦେଶ କରୋନା ଭୂତାଣୁ ମହାମାରୀ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ ରହିଥିବା ସ୍ଥିତିରେ ଭାରତୀୟ ରେଳବାଇ ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ରହିଛି । ନିଜର ବାଧାମୁକ୍ତ ମାଲ ପରିବହନ ସେବା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ ଜାରି ରଖିଛି । ଗତ ୪ ମାସରେ ପାଖାପାଖି ୧.୬ ଲକ୍ଷ ୱାଗନ ଜରିଆରେ ଯୋଗାଣ ଶୃଙ୍ଖଳାକୁ ନିରନ୍ତର ଚାଲୁ ରଖିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛି । ଏଥିମଧ୍ୟରୁ ୧ ଲକ୍ଷରୁ ଅଧିକ ୱାଗନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭାରତୀୟ ରେଳବାଇ ଦ୍ୱାରା ସୁନିଶ୍ଚିତ କରାଯାଇଛି, ଫଳରେ ସାରା ଦେଶରେ କାମ କାର୍ଯ୍ୟ ସଠିକ ଢଙ୍ଗରେ ଜାରି ରହିବ ଏବଂ ଯୋଗାଣ ଶୃଙ୍ଖଳା ମଧ୍ୟ ନିରନ୍ତର ଚାଲୁ ରହିବ । ସବୁ ରାଜ୍ୟରେ ଲକଡାଉନ ସମୟରେ ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେପରି ପ୍ରଭାବିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ଗୁଡ୍ସ ଶେଡ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିୟୋଜିତ ଭାରତୀୟ ରେଳବାଇର କର୍ମଚାରୀ ୨୪ ଘଂଟା କାମ କରୁଛନ୍ତି । ୨୩ ମାର୍ଚ୍ଚ, ୨୦୨୦ରେ ମୋଟ ୨୬,୫୭୭ ୱାଗନରେ ଖାଦ୍ୟ ଶସ୍ୟ, ଲୁଣ, ଖାଇବା ତେଲ, ଚିନି, କ୍ଷୀର, ଫଳ ଓ ପନିପରିବା, ପିଆଜ, କୋଇଲା ଓ ପେଟ୍ରୋଲିୟମ ଉତ୍ପାଦ ଭଳି ଆବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିରେ ୧୧୬୮ ୱାଗନ ଖାଦ୍ୟ ଶସ୍ୟ, ୪୨ ୱାଗନ ଫଳ ଓ ପନିପରିବା, ୪୨ ୱାଗନ ପିଆଜ, ୪୨ ୱାଗନ ଚିନି, ୧୬୮ ୱାଗନ ଲୁଣ, ୨୦ ୱାଗନ କ୍ଷୀର, ୨୨୪୭୩ ୱାଗନ କୋଇଲା ଏବଂ ୨୩୨୨ ୱାଗନ ପେଟ୍ରୋଲିୟମ ଉତ୍ପାଦ ସାମିଲ ରହିଛି । ୨୪ ମାର୍ଚ୍ଚ ୨୦୨୦ରେ ମୋଟ ୨୭,୭୪୨ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ ୧୪୪୪ ୱାଗନ ଖାଦ୍ୟଶସ୍ୟ, ୮୪ ୱାଗନ ଫଳ ଓ ପନିପରିବା, ୧୬୮ ୱାଗନ ଲୁଣ, ୧୫ ୱାଗନ କ୍ଷୀର, ୫୦ ଟ୍ୟାଙ୍କ ଖାଇବା ତେଲ, ୨୪,୨୦୭ ୱାଗନ କୋଇଲା ଓ ୧୭୭୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା । ୨୫ ମାର୍ଚ୍ଚ ୨୦୨୦ରେ ମୋଟ ୧୩,୦୯୭ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ ୮୭୬ ୱାଗନ ଖାଦ୍ୟଶସ୍ୟ, ୪୨ ୱାଗନ ଲୁଣ, ୪୨ ୱାଗନ ଚିନି,୧୫ ୱାଗନ କ୍ଷୀର, ୨୦୪୧୮ ୱାଗନ କୋଇଲା ଓ ୧୭୦୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା । ୨୬ ମାର୍ଚ୍ଚ ୨୦୨୦ରେ ମୋଟ ୨୪୦୦୯ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ ୧୪୧୭ ୱାଗନ ଖାଦ୍ୟଶସ୍ୟ, ୪୨ ୱାଗନ ଲୁଣ, ୪୨ ୱାଗନ ଚିନି, ୨୦୭୮୪ ୱାଗନ କୋଇଲା ଓ ୧୭୨୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା । କୋଭିଡ-୧୯ ସଂକ୍ରମଣ ଯୋଗୁ ଲାଗୁ ହୋଇଥିବା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବିନା କୌଣସି ବାଧାରେ ସୁଚାରୁ ରୂପେ ସମ୍ପନ୍ନ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତୀୟ ରେଳବାଇ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ବାଧାମୁକ୍ତ ପରିବହନ ଅନୁଧ୍ୟାନ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ନିୟନ୍ତ୍ରଣ ପ୍ରକୋଷ୍ଠ କାର୍ଯ୍ୟକ୍ଷମ କରାଯାଇଛି । ଅତ୍ୟନ୍ତ ବରିଷ୍ଠ ସ୍ତରର ଅଧିକାରୀମାନେ ମାଲ ପରିବହନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଏହି ସଂକଟ ସମୟରେ ଭାରତୀୟ ରେଳବାଇ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭଲ ଭାବେ ଜାଣିଛି । ଏହାର ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ତ୍ୱରାନ୍ୱିତ କରିବା ଲାଗି ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟ ଦ୍ରୁତ ଗତିରେ କରିବା ଦିଗରେ ସହଯୋଗ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ