ଗୁଳିମାଡ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ କେନ୍ଦ୍ରାପଡା ଜିଲ୍ଲା ବନ୍ଦ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଧର୍ମରକ୍ଷା ସେନାର ଜିଲ୍ଲା ସଭାପତି ବିବେକାନନ୍ଦ ମହାରଣା(ବାବୁଲି)କୁ ଗୁଳିମାଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବୁଧବାର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ଏହି ଅବସରରେ ଆଜି ସକାଳ ପ୍ରାୟ ୬ଟା ଠାରୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକ,ଦଣ୍ଡାମୁଣ୍ଡଛକ,ଗରାପୁରଛକ,ଗୋପଛକ ଓ ଦୁହୁରିଆ ଠାରେ ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗଦଳ,ଧର୍ମରକ୍ଷା ସେନା ଓ ଜିଲ୍ଲା ବଣିକ ସଙ୍ଘ ପକ୍ଷରୁ ମିଳିତ ଭାବେ ରାସ୍ତାରେ ବାଉଁଶ ବନ୍ଧାଯାଇ ଯିବା ଆସିବା ବନ୍ଦ କରିଦିଆଯାଇଥିଲା । ସେହିସବୁ ରାସ୍ତା ଗୁଡିକର ଉଭୟ ପାଶ୍ୱର୍ରେ ଶହ ଶହ ସଂକ୍ୟାରେ ଗାଡି ଗୁଡିକ ଛିଡା ହୋଇରହିଥିଲା । କେବଳ ତିନିମୁହାଣି ଛକ ଓ ଗୋପଛକକୁ ଛାଡିଦେଲେ ଅନ୍ୟ ସ୍ଥାନ ଗୁଡିକରେ ରାସ୍ତାରୋକ ଶୀଘ୍ର ହଟିଯାଇଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ଦୁଇଟା ବେଳେ ତିନିମୁହାଣିଛକ ଓ ଗୋପଛକ ରାସ୍ତା ଦୁଇଟି ଅବରୋଧ ହଟିଥିଲା । କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ରାସ୍ତାରୋକ ହଟବାର ବାଟଫିଟାଇଥିଲେ । ଶନିବାର ରାତି ପ୍ରାୟ ସାଢେ ୮ଟା ସମୟରେ ରାମନଗରପାଟଣାସ୍ଥିତ ଘରୁ ବାବୁଲି ବାଇକରେ ତିନିମୁହାଣିସ୍ଥିତ ରାମ ମନ୍ଦିରକୁ ଆସୁଥିବା ବେଳେ ଗୁଲନଗର ଦଣ୍ଡାମୁଣ୍ଡଛକ ନିକଟରେ ଅନ୍ୟଏକ ବାଇକରେ ଆସିଥିବା ୨ ଦୁର୍ବୃତ୍ତ ବନ୍ଧୁକରୁ ୨ରାଉଣ୍ଡ ଗୁଳି ବାବୁଲି ଉପରକୁ ଚଳାଇ ଫେରାର ହୋଇଯାଇଥିଲେ । ଗୁଳି ଦୁଇଟି ବାବୁଲିର ତଳିପେଟରେ ବାଜିବାରୁ ସେ ସେହିଠାରେ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ବାବୁଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ରାତିରେ ସ୍ଥାନାନ୍ତର କରାଯାଇଥିଲା । ସେହି ଘଟଣାକୁ ନେଇ ରବିବାର କେନ୍ଦ୍ରାପଡା ସହରର ତିନିମୁହାଣିଛକ, ଦଣ୍ଡାମୁଣ୍ଡଛକ, ଗରାପୁର କୋଠିଛକ ଓ ଦୁହୁରିଆରେ ଧର୍ମରକ୍ଷାସେନା, ବଜରଙ୍ଗଦଳ, ବିଶ୍ୱହିନ୍ଦୁପରିଷଦ ଓ ତିନିମୁହାଣି ବଜାର କମିଟି ପକ୍ଷରୁ ଟାୟାରଜାଳି ରାସ୍ତାରୋକ କରାଯାଇଥିଲା । ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପୋଲିସ ଓ ପ୍ରଶାସନର ବୁଝାଶୁଝା ପରେ ରାସ୍ତାରୋକ ହଟିଥିଲା । ଖବରପାଇ ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା)ସଞ୍ଜୀବ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି.ସୈାମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡାରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖରଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ । ବାବୁଲି ଉପରକୁ ଗୁଳିଚଳାଇଥିବା ଦୁର୍ବୃତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା) ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି. ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଥିଲେ । କିନ୍ତୁ ଏହା ମଧ୍ୟରେ ୪ଦିନ ବିତିଯାଇଥିଲେ ମଧ୍ୟ ବାବୁଲିକୁ ଗୁଳି କରିଥିବା ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ ତାହାର ପ୍ରତିବାଦରେ ବନ୍ଦ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ବାନାମ୍ବର ସାହୁ,କାର୍ଯ୍ୟକାରି ସଭାପତି ଗୋପିନାଥ ତ୍ରିପାଠୀ,ରାଜ୍ୟ ବଜରଙ୍ଗଦଳ ସୁରକ୍ଷା ପ୍ରମୁଖ ହିମାଂଶୁ ଭୂଷଣ ଦାସ,ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ସେନାପତି.ଧର୍ମରକ୍ଷାସେନା ରାଜ୍ୟ ପ୍ରମୁଖ ଉମେଶ ଦାସ,ଧର୍ମରକ୍ଷାସେନା ଜିଲ୍ଲା ପ୍ରମୁଖ ଶଶାଙ୍କ ଶେଖର ଜେନା,ସହ ପ୍ରମୁଖ ମାଧବ ପ୍ରଧାନ,ଜିଲ୍ଲା ବଣିକ ସଙ୍ଘ ସଭାପତି ଯୁଗଳ କିଶୋର ଦାସ,ତିନିମୁହାଣି ବଜାର କମିଟି ଉପସଭାପଡତି ମାନସ ରାଉତରାୟ ପ୍ରମୁଖଙ୍କ ନେତୃତ୍ୱରେ ରାସ୍ତାରୋକ ଏବଂ ବନ୍ଦ ପାଳନ କରାଯାଇଥିଲା । ବନ୍ଦକୁ ନେଇ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଜିଲ୍ଲା ବନ୍ଦ ଡାକରା ଆଜିର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମ ଉପରେ କୈାଣସି ପ୍ରଭାବ ପଡିନଥିବା ଦେଖାଯାଇଛି ।


