ବାଲିଘାଟକୁ ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ହାବଳେଶ୍ୱର ଓ ଡିମିରିଆ ଠାରେ ଦୁଇଗୋଟି ବାଲିଘାଟ ଥିବାବେଳେ ଏହି ବାଲିଘାଟରୁ ବାଲି ପରିବହନକୁ ନେଇ ହାବଳେଶ୍ୱର ଓ ଡିମିରିଆର କିଛି ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ଯେ ଦୁଇଟି ଯାକ ବାଲିଘାଟକୁ ହାଟଡିହି ତହସିଲ ପକ୍ଷରୁ ନିଲାମ ଦିଆଯାଇଥିବାବେଳେ ହାବଳେଶ୍ୱର ବାଲିଘାଟକୁ ଅଧିକ ଗାଡି ବାଲି ପାଇଁ ପଳାଉଛନ୍ତି । ଫଳରେ ଡିମିରିଆ ବାଲିଘାଟ ନିଲାମଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ବଡି ଭୋର ସମୟରେ ଡିମିରିଆର କିଛି ଯୁବକ ହାବଳେଶ୍ୱର ବାଲିଘାଟକୁ ଯାଇଥିବା କିଛି ଗାଡିକୁ ଡିମିରିଆ ଅଭିମୁଖେ ଆଣିବାକୁ ଡାକିବାକୁ ଯାଇଥିଲେ । ଏହାକୁ ହାବଳେଶ୍ୱରର ଯୁବକମାନେ ବିରୋଧ କରିଥିଲେ । ଫଳରେ ଡିମିରିଆର କିଛି ଯୁବକ ହାବଳେଶ୍ୱର ଗାଁ ଭିତରେ ପସି ଗାଳିଗୁଲଜ କରି ଫେରିଆସିଥିଲେ । ପରେ ହାବଳେଶ୍ୱରର କିଛି ଶ୍ରମିକ ଯେଉଁମାନେକି କାମ କରିବାକୁ ନିୟମିତ ଯାଜପୁର ଯାଆନ୍ତି ସେମାନେ କାମ କରିବାକୁ ଯାଉଥିବାବେଳେ ସେମାନଙ୍କୁ ଡିମରିଆ ଲୋକମାନେ ବୈତରଣୀ ପୋଲ ନିକଟରୁ ଫେରାଇ ଦେଇଥିଲେ । ଏପରିକି ଜଣେ ମହିଳା ଡାକ୍ତରଖାନା ଯାଉଥିବା ସମୟରେ ସେମାନେ ତାକୁ ଛାଡି ନଥିଲେ । ଏହାକୁନେଇ ହାବଳଶ୍ୱର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ଉତ୍ତେଜନା ପ୍ରକାଶ ପାଇଥିଲା । ବିନୋଦ ବିହାରୀ ନାୟକ, ଶଙ୍କର୍ଶଣ ସିଂ, ସନ୍ତୋଷ ସାହୁ, ନିକୁଞ୍ଜ ବିହାରୀ ଦାସ, ପ୍ରଦୀପ ଜେନା, ପପୁ ସାମଲ, ଶିବ ମହାଳିକ, ରତିରଞ୍ଜନ ବର୍ଦ୍ଧନ, ମାନସ ମହାଳିକ, ତରଣୀସେନ ବ୍ରହ୍ମ, ପଦ୍ମଲୋଚନ ମହାନ୍ତି, ଚକ୍ରଧର ଦତ୍ତଙ୍କ ସମେତ ଅନେକ ଗ୍ରାମବାସୀ ଏ ସମ୍ପର୍କରେ ନନ୍ଦିପଦା ଥାନାକୁ ଯାଇ ପୁଲିସର ସହଯୋଗ ଲୋଡିଛନ୍ତି । ଥାନା ଅଧିକାରୀ ଏ ସମ୍ପର୍କରେ ସରପଞ୍ଚଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି ।


