ଗରାପୁର ଡାକବଙ୍ଗଳାକୁ ଗାନ୍ଧୀ ଭବନ ଭାବେ ଘୋଷଣା କଲେ ପୂର୍ତ୍ତମନ୍ତ୍ରୀ

କେନ୍ଦ୍ରାପଡା – ରାଜ୍ୟ ପୂର୍ତ୍ତ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ଗସ୍ତରେ ଆସି ପ୍ରଥମେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଁଚି ଥିଲେ । ସେଠାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସହିତ ପହଁଚି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ,ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସହ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସେଠାରୁ ୨ବିଧାୟକଙ୍କ ସହ ଗରାପୁରସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାକୁ ଆସି ପହଁଚି ଥିଲେ । ସେଠାରେ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ(ରାସ୍ତା) ଇଂ ଆଦିତ୍ୟ ରାୟ, କଟକ ପୂର୍ତ୍ତ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଇଂ ତାରା ପ୍ରସାଦ ମିଶ୍ର, କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ -୧ର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖଙ୍କ ସହିତ ଡାକବଙ୍ଗଳା ପରିସରକୁ ବୁଲି ଦେଖିଥିଲେ । ପରେ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ମହାତ୍ମା ଗାନ୍ଧୀ ଗତ ୧୯୩୦ମସିହାରେ ପଦଯାତ୍ରାରେ କେନ୍ଦ୍ରାପଡାକୁ ଆସି ଏହି ଡାକବଙ୍ଗଳା ସ୍ଥାନରେ ସଭା କରିଥିବାରୁ ଏବଂ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି,୧୫୦ତମ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ, କେନ୍ଦ୍ରାପଡା ଓ କେନ୍ଦ୍ରାପଡାର ଅଧିବାସୀ ଓ ବିଧାୟକ ଶ୍ରୀ ବେହେରାଙ୍କ ଦାବି ଅନୁଯାଇ ସେ ଗରାପୁର ଡାକବଙ୍ଗଳାକୁ ଗାନ୍ଧୀ ଭବନ ଭାବେ ଘୋଷଣା କରିଥିଲେ । ବର୍ତ୍ତମାନ ଡାକବଙ୍ଗଳାର ୪ ଓ ୫ ନମ୍ବର ସୁଟକୁ ନେଇ ଅସ୍ଥାଇ ଭାବରେ ଡାକବଙ୍ଗଳା ଚାଲିବ ଓ ସେହି ଦୁଇଟି ସୁଟ ନିକଟରେ ପାଚେରୀ ନିର୍ମାଣ କରାଯିବ । ଡାକବଙ୍ଗଳାର ଅବଶିଷ୍ଟ ଅଂଶ ଗାନ୍ଧୀ ଭବନ ଭାବେ କାର୍ଯ୍ୟ କରିବ । ନୂତନ ଡାକବଙ୍ଗଳା ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ଜମି ଯୋଗାଇ ଦେବା ପରେ ସେଠାରେ ନୂତନ ଡାକବଙ୍ଗଳା ପାଇଁ ଗୃହ ନିର୍ମାଣ କରାଯିବ ବୋଲି ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଇଂ ମହାନ୍ତି ସୂଚନା ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା, ରାଜନଗର ବିଧାୟକ ଶ୍ରୀ ସାହୁ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତିଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ