ବିଚିତ୍ର ପରମ୍ପରା

ଭିଲ୍ ଜନଜାତିର ଗବରି ପର୍ବ \nଉଦୟପୁର: ରାଜସ୍ଥାନର ମେବାର ଅଞ୍ଚଳରେ ରହନ୍ତି ଭିଲ ସମ୍ପ୍ରଦାୟର ଜନଜାତି । ଏମାନଙ୍କୁ ମାନବ ଜାତିର ସବୁଠୁ ପୁରୁଣା ଜାତି ବୋଲି କୁହାଯାଏ । ଏହି ସମ୍ପ୍ରଦାୟର ଲୋକମାନେ ଭାଦ୍ରବ ମାସରେ ଲୋକ ନୃତ୍ୟନାଟିକା ଗବରି ପାଳନ କରନ୍ତି । ବାଂସବାଡା, ଡୁଙ୍ଗରପୁର, ରାଜସମନ୍ଦ ଓ ଉଦୟପୁରର କିଛି ଗାଁରେ ଏହା ଏବେ ପାଳନ କରାଯାଉଛି । ଏହି ପର୍ବ ୪୦ଦିନ ଧରି ଚାଲେ । ଗବରି କରୁଥିବା ଲୋକମାନେ ଏହି ଦିନମାନଙ୍କରେ ମଦ ପିଅନ୍ତିନାହିଁ କି ଜୋତା ପିନ୍ଧନ୍ତିନି । ସେମାନେ ତଳେ ଶୁଅନ୍ତି ଓ ଦିନବେଳା ଥରେ ଖାଆନ୍ତି । ଏହି ଲୋକନୃତ୍ୟ ଗାଁରେ ସୁଖଶାନ୍ତି ଆଣେ ବୋଲି ସେମାନେ ବିଶ୍ୱାସ କରନ୍ତି । ପୂରା ଗାଁ ଏହି ପର୍ବ ପାଳନରେ ମାତିଯାଆନ୍ତି । ମେବାର ବ୍ୟତୀତ ଗବରି ଲୋକ ପରମ୍ପରା ଦେଶରେ ଆଉ କେଉଁଠାରେ ପାଳନ କରାଯିବା ଦେଖାଯାଏନି । ଶିବ-ପାର୍ବତୀଙ୍କୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଏ । ଗବରି ପାଳନ କରାଯାଉଥିବା ଗାଁର ପ୍ରତ୍ୟେକ ଆଦିବାସୀ ପରିବାରରେ ଜଣେ ସଦସ୍ୟ ଏହି ବ୍ରତ ରଖନ୍ତି । ଯେଉଁ ଗାଁରେ ଝିଅଙ୍କର ବାହାଘର ହୋଇଥାଏ ସେହି ଗାଁକୁ ଗବରି ନୃତ୍ୟ କରୁଥିବା ବ୍ୟକ୍ତି ଯାଇ ନୃତ୍ୟ କରିଥାନ୍ତି । ମାଦଲ ଓ ଥାଳି ବଜାଇ ସେମାନେ ନୃତ୍ୟ କରନ୍ତି ଓ ଏହାକୁ ରାଇ ନୃତ୍ୟ କୁହାଯାଏ । ଏହି ନୃତ୍ୟ କେବଳ ପୁରୁଷମାନେ ହିଁ କରନ୍ତି । ଗବରି ଶବ୍ଦ ମା\’ ଗୌରୀରୁ ଆସିଛି । ଏହାକୁ ଉଦ୍ଧବ ଶିବ-ଭସ୍ମାସୁର କଥା ବୋଲି ମାନିଥାନ୍ତି । ଗବରି ଅବସରରେ ଗଣପତି କାନାଗୁଜରି, ଯୋଗୀ, ଲାକ୍ଷା ବଞ୍ଜାରା ଆଦି ଖେଳ ଅନୁଷ୍ଠିତ ହୋଇଥାଏ । ଏହି ଖେଳ ପାଇଁ ଭିଲ ଲୋକମାନେ ଗୈରଜା ମାତା ମନ୍ଦିରକୁ ଯାଇ ପାତି (ଖେଳିବା ପାଇଁ ଅନୁମତି) ଭିକ୍ଷା କରନ୍ତି । ଏହା ଏକ ପରମ୍ପରା । ଏହି ପରମ୍ପରା ଅନୁଯାୟୀ ଦେବୀଙ୍କୁ ପୂଜା କରାଯିବା ପରେ ମନ୍ଦିରରେ ଥିବା ପୂଜାରୀଙ୍କୁ ଯେତେବେଳେ ମା’ ପ୍ରସନ୍ନ ହୁଅନ୍ତି ସେତେବେଳେ ତାଙ୍କୁ ଗବରି ଖେଳିବା ପାଇଁ ଅନୁମତି ଭିକ୍ଷା କରାଯାଏ । ଏହା ପାଇବା ପରେ ଖେଳକୁ ବାହାରିଯାଆନ୍ତି ଭିଲ୍ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ