ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ଓ ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) : ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୋଧରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ଟାଉନ ସଭାପତି ମୀନା ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ ଦାସ ସଭାପତିତ୍ୱ କରିବା ସହିତ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ବେଳେ ଆଗାମୀ ଦିନରେ ସବୁ ମହଲରୁ ପ୍ରତିବାଦର ସ୍ୱର ଉତ୍ତୋଳନ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଜେଡି ଜିଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଥିଲେ । ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁଁ ସମ୍ପ୍ରତି ଜନସାଧାରଣଙ୍କ ଜୀବନ ଧାରଣର ମାନ ହ୍ରାସ ପାଇବାରେ ଲାଗିଛି ବୋଲି ସେ ଆରୋପ କରିଥିଲେ । କରୋନା କାଳରେ ଗରିବ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକେ ଜୀବିକା ହରାଇଥିବା ବେଳେ ଦରବୃଦ୍ଧି ସେମାନଙ୍କ ପାଇଁ ବେଢ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି । କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ କେବଳ ବାଲେଶ୍ୱର କି ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଜିଲା ଉପ-ସଭାପତି ଗୌରୀ କୁମାର ରାଉତ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେଡି ନେତା ରଂଜନ ବାଗ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ରାଜ୍ୟ ମହିଳା ଉପ-ସଭାପତି ଉମିଲତା ଦାସ, ବିଜେଡି ଟାଉନ ସଭାପତି ସନତ ଦାସ, ବରିଷ୍ଠ ବିଜେଡି ନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ରାଜଲକ୍ଷ୍ମୀ ଚାଟାର୍ଜୀ, ସୁଷମା ବେହେରା, ବିଳାସିନୀ ବେହେରା, ବିଜେଡି ଜିଲା ମିଡିଆ ସେଲ ସଂଯୋଜକ ରଘୁନାଥ ଲେଙ୍କା ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ବର୍ଷିଥିଲେ । ଦରଦାମ ବୃଦ୍ଧିର ପ୍ରତୀକ ଭାବେ ପ୍ରତିବାଦ ସଭା ସମ୍ମୁଖରେ ରନ୍ଧନ ଗ୍ୟାସ ଟାଙ୍କି ରଖାଯାଇଥିବା ଦେଖିବାକୁ ମିଳିଥିଲା । ଶେଷର ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିବାଦ ସଭାସ୍ଥଳରୁ ପ୍ରତିନିଧି ଦଳ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପାଳିକାର ସମସ୍ତ ପୂର୍ବତନ କାଉନସିଲର, ୱାର୍ଡ଼ ସଭାପତିଙ୍କ ସମେତ ବିଜେଡିର ସଦର ନିର୍ବାଚନମଣ୍ଡଳୀରୁ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ ।


