ଚାନ୍ଦିପୁରରେ ପ୍ରଦର୍ଶନୀ ମହିଳା ଫୁଟବଲ ମ୍ୟାଚ
ବାଲେଶ୍ୱର, (ସରୋଜ ପଣ୍ଡା) : ଚାନ୍ଦିପୁର ଫୁଟବଲ ଆସୋସିଏସନ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ‘ପିଏକ୍ସଇ’ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରପ ଦାସ ଏହାକୁ ଉଦଘାଟନ କରିବା ସହିତ ଖେଳାଳିଙ୍କ ଶୁଭେଚ୍ଛା ଜଣାଇଥିଲେ । ଫୁଟବଲ ଆସୋସିଏସନର ମାର୍ଗଦର୍ଶକ ଶେଖ ସାଦିକ ଅଲି ଓ ମୁଖ୍ୟ ପ୍ରଶିକ୍ଷକ ଏମ.ପି. ବାପିଙ୍କ ନିରନ୍ତର ଉଦ୍ୟମରେ ଚାନ୍ଦିପୁର ଅଞ୍ଚଳର ଛାତ୍ରଛାତ୍ରୀ ଫୁଟବଲ ଖେଳରେ ସଫଳତା ପାଇ ଜିଲା ତଥା ରାଜ୍ୟ ପାଇଁ ସୁନାମ ଆଣିପାରିଛନ୍ତି ବୋଲି ବିଧାୟକ ମତପ୍ରକାଶ କରିଥିଲେ । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଆଇଟିଆର୍ ନିର୍ଦ୍ଦେଶକ ହରେକୃଷ୍ଣ ରଥ, ପିଏକ୍ସଇ ନିର୍ଦ୍ଦେଶକ ଡି କେ ଯୋଶୀ, ଇଷ୍ଟେଟ ମ୍ୟାନେଜର ଲେପ୍ଟନାଣ୍ଟ କର୍ଣ୍ଣେଲ ବିନୟାଗମ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଏଥରେ ଯୋଗଦେଇ ମହିଳା ଫୁଟବଲ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ମହିଳାଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଟବଲ ଖେଳାଳୀମାନଙ୍କୁ ଉପହାର ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିଏକ୍ସଇର ସୁରକ୍ଷା ଅଧିକାରୀ କର୍ଣ୍ଣେଲ ସୁମନ ଦତ୍ତ, ଲେଫ୍ଟନଣ୍ଟ କର୍ଣ୍ଣେଲ ରାଜୀବ କୁମାର ବଳ ଓ ବିନୟ ଜ୍ଞାନ, ମେଜର ଏଲ ସି ସିଂହ, ଜିଲା କ୍ରୀଡା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଜେନା, ଶ୍ରୀକୋଣା ସରପଞ୍ଚ ରାଜୁ ପ୍ରଧାନ, ଜିଲା ପରିଷଦ ସଭ୍ୟ କମଳ ସାହୁ ପ୍ରମୁଖ ଏହି ଫୁଟବଲ ମ୍ୟାଚରେ ଉପସ୍ଥିତ ଥିଲେ । ଅଭ୍ୟୁଦୟ ଦାସ ଏଥିରେ ମଞ୍ଚ ଆହ୍ୱାନ କରି ଥିବା ବେଳେ ଆଲୋକ ଚନ୍ଦ୍ର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନୁଷ୍ଠିତ ଆକର୍ଷଣୀୟ ମ୍ୟାଚରେ ବ୍ଲୁ ଟିମ୍ ପିଙ୍କ ଟିମକୁ ଟାଏ ବ୍ରେକରରେ ୨-୧ରେ ପରାସ୍ତ କରିଥିଲା । ଆଦିତ୍ୟ କୁମାର, ଅନୁ ସହାୟ, ଜୟନ୍ତୀପ୍ରଭା ସାମଲ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।


