ବିବାଦୀୟ ପିଇଟି ଶିକ୍ଷକଙ୍କୁ ବଦଳି ନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲିଙ୍ଗିପୁର ଗ୍ରାମ ଠାରେ ଥିବା ଓଡିଶା ଆଦର୍ଶ ବିିଦ୍ୟାଳୟର ବିବାଦିୟ ପିଇଟି ଶିକ୍ଷକ ନାଗାର୍ଜୁନ ସାହୁଙ୍କୁ ବଦଳି ନ କରିବା ପାଇଁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ବସିଥିବାର ଜଣାପଡିଛି । ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ସମ୍ମୁଖରେ ବିବାଦିୟ ପିଇଟି ଶିକ୍ଷକ ଶ୍ରୀ ସାହୁଙ୍କ ବଦଳି ନ କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଧରି ବିଭିନ୍ନ ସ୍ଲୋଗାନମାନ ଦେଇ ବସିଥିଲେ । ଫଳରେ ଏକ ଘଣ୍ଟା ଧରି ଶିକ୍ଷାଦାନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହୋଇଥିଲା । ପରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ରଞ୍ଜନ କାର୍ଯୀ ଏବଂ ଅନ୍ୟାନ୍ୟ ଶିକ୍ଷକମାନେ ମିଳିତ ଭାବେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବହୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ବିରତ ହୋଇଥିଲେ ଛାତ୍ରଛାତ୍ରୀ । ଏହାପରେ ନିଜ ନିଜ କ୍ଲାସ ରୁମ୍ କୁ ଯାଇଥିଲେ । ଇତି ମଧ୍ୟରେ ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଏବଂ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ପହଞ୍ଚି ଆଲୋଚନା କରିଥିବା ବେଳେ ତହସିଲଦାରଙ୍କୁ ବିବାଦିୟ ପିଇଟି ଶିକ୍ଷକଙ୍କ ବଦଳି ଆଦେଶକୁ ସ୍ଥଗିତ କରିବାପାଇଁ ଛାତ୍ରଗଣ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ପ୍ରକାଶ ଯେ, ବିବାଦିୟ ପିଇଟି ଶ୍ରୀ ସାହୁ ଗତ କିଛି ଦିନ ପୂର୍ବେ କିଛି +୨ ଛାତ୍ରଙ୍କୁ କୌଣସି ଏକ ସାମାନ୍ୟ କାରଣରୁ ଲହୁଲୁହାଣ କରି ପିଟାବାଡା କରିଥିବାର ଅଭିଯୋଗ କରି ଅଭିଭାବକ ଗଣ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇଦେଇଥିଲେ । ବିବାଦିୟ ପିଇଟି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ୍ ଧରିଥିଲେ । ଇତିମଧ୍ୟରେ ଗାରବନ୍ଧ ପୋଲିସ ପହଞ୍ଚି ଆଲୋଚନା ପରେ ତାଲା ଫିଟା ଯାଇଥିଲା । ଏହାର କିଛି ସମୟ ପରେ ଗୋଷାଣି ବ୍ଲକ ବିଡିଓ ନୀଳମାଧବ ମାଝୀ, ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଗୋଷାଣି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଶିବାଜୀ କହଁର, ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ପହଞ୍ôଚ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାର୍ଯୀଙ୍କ ସହ ଆଲୋଚନା କରିଥିଲେ । ପରେ ବିବାଦିୟ ଶିକ୍ଷକ ଊଭୟ ସ୍ଥାନୀୟ ପ୍ରଶାସନ, ବିିଦ୍ୟାଳୟ କର୍ତ୍ତୃପକ୍ଷ, ପୋଲିସ ଏବଂ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ନିଜ ତ୍ରୁଟି ପାଇଁ ଲିଖିତ ଭାବେ ଏପରି ଘଟଣା ଆଉ ପୁନରାବୃତ୍ତି ନଘଟିବ ଏବଂ ଏହି ଘଟଣା ପାଇଁ ଅନୁତପ୍ତ ବୋଲି ସ୍ୱୀକରୋକ୍ତି ପତ୍ର ପ୍ରଦାନ କରିଥିଲେ । ସେହିପରି ବିବାଦିୟ ଶିକ୍ଷକଙ୍କୁ ବଦଳି କରିବା ଦାବିକୁ ନେଇ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ କାର୍ଯ୍ୟୀ ମଧ୍ୟ ଏନେଇ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିିଶ୍ରୁତି ପରେ ଅଭିଭାବକ ମାନେ ଆନ୍ଦୋଳନରୁ ନିବୃତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ପରେ ବିବାଦିୟ ପିଇଟି ଶିକ୍ଷକଙ୍କୁ ତୁରନ୍ତ କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଠାରେ ଥିବା ଓଏଭି ବିଦ୍ୟାଳୟକୁ ବଦଳି ପାଇଁ ଆଦେଶ ଜାରି କରିଥିଲେ । ଯାହାକି ଆଜି ସମ୍ପୃକ୍ତ ଶିକ୍ଷକଙ୍କୁ ରିଲିଭ ଅର୍ଡର ପ୍ରଦାନ କରାଯାଇଥିବାର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାର୍ଯୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ଆଜି ପିଇଟି ଶିକ୍ଷକଙ୍କ ବଦଳିକୁ ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ୧୧ ଶ୍ରେଣୀ ପରୀକ୍ଷା ଚାଲୁ ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲା ଯେ ଆନ୍ଦୋଳନ କରିବାକୁ ? କାହାର ପ୍ରରୋଚନାରେ ପଡି ଏମାନେ ଏପରି ଆନ୍ଦୋଳନ କରିଥିବାର ତଦନ୍ତ ହେବା ଆବଶ୍ୟକ ବୋଲି ଅଭିଭାବକ ଗଣ ଆଲୋଚନା କରିଛନ୍ତି । ଏହା ସହ ଆନ୍ଦୋଳନକୁ ନେଇ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସକୁ କୌଣସି ଆଗୁଆ ସୂଚନା ମଧ୍ୟ ଦିଆଯାଇ ନଥିବାର ଜଣାପଡିଛି । ଯଦି ଆନ୍ଦୋଳନ ବେଳେ କୌଣସି ଅଘଟଣ ଘଟିଥିଲେ ସେଥିପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ଆମ୍ଭ ପିଲାଙ୍କୁ ଶିକ୍ଷାଦାନରୁ ବିରତି ରଖି ଏଭଳି ଆନ୍ଦୋଳନ କରିବାପାଇଁ ଯେଉଁମାନେ ଇଙ୍ଗିତ କରି ଆନ୍ଦୋଳନରେ ବସାଇଛନ୍ତି ତାହାର ତଦନ୍ତ କରି ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି । ଏହାସହ ଏତେ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କାହିଁକି ଆନ୍ଦୋଳନ ହେଲା ତାହା ମଧ୍ୟ ପ୍ରଶ୍ନ କରିଛନ୍ତି । ଯଦି ଓ ଲିଙ୍ଗିପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରାଯାଉଥିଲେ ମଧ୍ୟ ଜଣେ ବିବାଦିୟ ପିଇଟି ଶିକ୍ଷକଙ୍କୁ କାହିଁକି ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁକମ୍ପା ଦେଖାଇଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ବିଇଓ ଟି. କିଶୋର କୁମାରଙ୍କୁ ପଚରାଯିବାରେ କହିଛନ୍ତି ଯେ, ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାର୍ଯୀ ଙ୍କ ସହ ଯୋଗାଯୋଗ କରି ବଦଳି ଅର୍ଡର ସମ୍ପର୍କରେ ପଚାରି ଥିଲେ । ଆମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଦଳି ପାଇଁ ଆଦେଶ ଆସିଛି କିନ୍ତୁ ଆମର ଓଏଭି ପକ୍ଷରୁ କୌଣସି ଆଦେଶ ଆସିନଥିବାରୁ ଆମେ ତାଙ୍କୁ ଆଜିଯାଏଁ ରିଲିଭ୍ କରି ନଥିବା କଥା ଓଏଭି ଅଧ୍ୟକ୍ଷ ଶ୍ରୀ କାର୍ଯୀ ପ୍ରକାଶ କରିଥିବା କଥା କହିଛନ୍ତି ବିଇଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ