ବିବାହିତ ଝିଅକୁ ମାନସିକ ନିର୍ଯ୍ୟାତନା ଅଭିଯୋଗ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଞ୍ଚଳର ଜଣେ ବିବାହିତ ଝିଅକୁ ନିଜର ଇଚ୍ଛା ବିରୁଦ୍ଧରେ ତାର ବାପା ମାଆ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ଥାନା ଅଧିନ ବଧିଗଢିଆ ଗ୍ରାମର ସରୋଜ କୁମାର ସେଠୀଙ୍କୁ ଆଗରପଡା ଥାନା ଅଧିନ ସୁଆଁପଦା ଗ୍ରାମର ଶୁଭଶ୍ରୀ ଭୁତିଆ ଗତ ତା-୩୦-୮-୨୦୧୯ ରିଖରେ ନିଜ ଇଚ୍ଛାରେ ବିବାହ କରିଥିଲେ । ଏହି ବିବାହ ଭଦ୍ରକ ନୋଟାରୀ ଓ ଭଦ୍ରକସ୍ଥିତ ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଗତ ତା-୨୨-୧୦-୨୦୧୯ ରିଖରେ ଶୁଭଶ୍ରୀର ମାଆ ବଧିଗଢିଆ ଗ୍ରାମକୁ ଯାଇ ଝିଅକୁ ନେଇଯିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଝିଅ ଯିବାକୁ ରାଜି ହୋଇନଥିଲା । ଗତ ତା-୨୩-୧୦-୧୯ ରିଖରେ ଶୁଭଶ୍ରୀ ନିଜ ଶ୍ୱଶୁରଙ୍କ ସହିତ ମଉସାଶୁର ଘରକୁ ଯିବା ସମୟରେ ତାଙ୍କ ବାପାମାଆ କୌଣସି ସୂତ୍ରରୁ ଖବର ପାଇ ଯୋଜନାବଦ୍ଧ ଭାବେ କିଛି ଆସାମାଜିକ ଲୋକଙ୍କୁ ଧରି ବନ୍ତରୁ ଗଣିଜାଙ୍ଗ ଛକ ପର୍ଯ୍ୟନ୍ତ ମଟର ସାଇକେଲରେ ଗୋଡାଇଥିଲେ । ଫଳରେ ଶୁଭଶ୍ରୀ ଓ ତାର ଶ୍ୱଶୁର ଜୀବନ ବିକଳେ ଗଣିଜାଙ୍ଗ ଛକରେ ଥିବା ଜଣେ ସଂପର୍କୀୟଙ୍କ ଘରକୁ ପଶି ଯାଇ ଜୀବନ ବଞ୍ଚାଇଥିଲେ । ଜୀବନ ପ୍ରତି ବିପଦ ଥିବା ଓ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଶୁଭଶ୍ରୀ ଶୁକ୍ରବାର ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି ।


