ବିରଞ୍ଚିନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ଉପଲକ୍ଷେ ପୂଜାର୍ଚ୍ଚନା

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ପୌଷ ଶୁକ୍ଳପକ୍ଷ ଦଶମୀ ରବିବାର ଦିନ ଶାମ୍ବ ଦଶମୀ ଉପଲକ୍ଷେ ସୂର୍ଯ୍ୟ ଉଦୟ ସମୟରେ ପୂଜାର୍ଚ୍ଚନା ଅନୁଷ୍ଟିତ ହୋଇଥିଲା। ପୁରାଣମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମହାବ୍ୟାଧି ରୋଗରେ ପୀଡ଼ିତ ହୋଇ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ରୋଗମୁକ୍ତ ହୋଇଥିଲେ।ଭକ୍ତ ଓ ମାନସିକଧାରୀଙ୍କର ବିଶ୍ୱାସ ଅଛିଯେ ଆଜିର ଦିନରେ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ପୂଜା ପାଉଥିବା ଶ୍ରୀ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ବିଭିନ୍ନ ଚର୍ମରୋଗରୁ ମୁକ୍ତି ମିଳିଥାଏ। ସେଥିପାଇଁ ଆଜି ଭୋରରୁ ବହୁ ଶ୍ରଦ୍ଧାଳୁ ଓ ମାନସିକଧାରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ବେଢ଼ାରେ ଏକତ୍ରିତ ହୋଇ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥିଲେ।ଏହାପରେ ମହନ୍ତ ରାମାନୁଜ ଦାସଙ୍କ ଆବାହକତ୍ୱରେ ସକାଳ ୯ ଘଟିକାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଘୃତ ଯଞ୍ଜ ହୋମ ଅନୁଷ୍ଟିତ ହୋଇଥିଲା।ପୁଣି ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତଗମୀ ସମୟରେ ସୂର୍ଯ୍ୟ ଦେବତା ଏବଂ ଚନ୍ଦ୍ର ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ସାରା ଦିନ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ଶ୍ରୀ ବଳଦେବ ଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ