ବିଲରେ ପାଣିମଡାକୁ କେନ୍ଦ୍ର କରି ହତ୍ୟା ; ୩ ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡ
ଛତ୍ରପୁର (ଦେବଦତ୍ତ ମହାରଣା) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଚାଷ ଜମିରେ ପାଣିମଡାକୁ କେନ୍ଦ୍ର କରି ୨୦୧୨ ମସିହାର ଏକ ହତ୍ୟା ମାମଲାର ଆଜି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ବିଚରାଣା ହୋଇଛି । ବିଚାରପତି ରାଜାରଞ୍ଜନ ପାଢୀ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ଗୋବିନ୍ଦ ଦାସ, ଶିବରାମ ଦାସ ଓ ସିମାଞ୍ଚଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେବା ସହ ୪୫ ହଜାର ଟଙ୍କା ଜରିମାନା ପୈଠ କରିବାରୁ କହିଛନ୍ତି । ଜରିମାନା ଅନାଦେୟରେ ଅତିରିକ୍ତ ୬ ମାସ ଲେଖାଁଏ ଜେଲ୍ ଦଣ୍ଡ ଭୋଗିବା ପାଇଁ ବିଚାରପତି ତାଙ୍କରି ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ଚୌଧୂରୀ ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ଡମିନାଥ ସାହୁ ସହଯୋଗ କରିଥିଲେ । ସୂଚନାନୁସାରେ, ୨୦୧୨ ମସିହା ଅକ୍ଟୋବର ୧୦ ତାରିଖରେ ହିଞ୍ଜିଳି ବ୍ଲକ ବଳରାମପୁର ଗ୍ରାମର ଉଜ୍ୱଳ ଦାସ ଓ ଡମ୍ବୁରୁ ଦାସ ଦୁଇଭାଇ ଭୋର ୫ଟାରେ ବିଲରେ ପାଣି ମଡେଇବାକୁ ଯାଉଥିଲେ । ସୂଚନା ପାଇ ପୂର୍ବରୁ ସେହି ଗ୍ରାମର ଗୋବିନ୍ଦ ଦାସ, ଶିବରାମ ଦାସ ଓ ସିମାଞ୍ଚଳ ଦାସ ଲୁଚି ରହି ଅତର୍କିତ ଭାବେ ଦୁଇଭାଇ ଉପରେ କାତି, କାତୁଆ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ । ଡମ୍ବୁରୁ ଦାସ ଗୁରୁତର ଆହତ ହୋଇ ତଳେ ପଡିଯାଇଥିବା ବେଳେ ମରିଗଲା ଭାବି ସେଠାରୁ ୩ ଜଣ ପଳାଇ ଯାଇଥିଲେ । ସେତେ ବେଳକୁ ମଧ୍ୟ ଉଜ୍ୱଳକୁ ଆକ୍ରମଣ କରି ବାମ ହାତ ଏବଂ ସମସ୍ତ ଶରୀରେ ଆଘାତ ହୋଇଥିଲା । ପରେ ଦୁଇ ଭାଇକୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡମ୍ବୁରୁକୁ ଡାକ୍ତର ମୃତ ଘୋଷଣା କରିଥିଲେ ।


