ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ୩୦ ନିୟୁତ ଡଲାର୍ ଦେବ ଚୀନ୍

ବେଜିଂ: ସାମ୍ପ୍ରତିକ ସମୟରେ ବିଶ୍ବରେ ଦେଖାଦେଇଥିବା କୋରୋନା ଭୂତାଣୁଜନିତ ମହାମାରୀ ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଭୂମିକା ଉପରେ ଆମେରିକା ସବୁବେଳେ ସନ୍ଦେହ ପ୍ରକଟ କରିଆସିଛି। ଏହି ସଂଗଠନ ଚୀନକୁ ସମର୍ଥନ କରୁଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିଯୋଗ କରିବା ସହ ନିକଟରେ ଏହି ସଂଗଠନକୁ ପ୍ରଦାନ କରୁଥିବା ଅନୁଦାନକୁ ମଧ୍ୟ ବନ୍ଦ କରିଦେବା ସକାଶେ ଘୋଷଣା କରିଛନ୍ତି। ତେବେ ଚୀନ୍ ଏ କ୍ଷେତ୍ରରେ ଆଗକୁ ଆସି ହୁ’କୁ ଅଧିକ ୩୦ ନିୟୁତ ଡଲାର୍ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ଘୋଷଣା କରିଛି। କୋରୋନା ଭୂତାଣୁ ସହ ଜାରି ରହିଥିବା ଲଢ଼େଇରେ ହୁ’ ପାଇଁ ଏହି ଅର୍ଥ ବିଶେଷ ଲାଭଦାୟକ ହେବ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଗେଙ୍ଗ୍ ଶୁଆଙ୍ଗ୍ କହିଛନ୍ତି ଯେ ପୂର୍ବରୁ ଆମେ ହୁ’କୁ ୨୦ ନିୟୁତ ଡଲାର୍ ଦାନ କରିବା ସକାଶେ ଘୋଷଣା କରିସାରିଛୁ। ବର୍ତ୍ତମାନ ଅତିରିକ୍ତ ଭାବେ ୩୦ ନିୟୁତ ଡଲାର୍ ଦିଆଯିବ, ଯାହା ମାଧ୍ୟମରେ ହୁ’ ପକ୍ଷରୁ ପ୍ରଗତିଶୀଳ ଦେଶମାନଙ୍କରେ ସ୍ବାସ୍ଥ୍ୟସେବା ସ୍ତରକୁ ଉନ୍ନତ କରାଯାଇପାରିବ ବୋଲି ଶୁଆଙ୍ଗ ଆଶା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ହୁ’କୁ ନିୟମିତ ଭାବେ ଆର୍ଥିକ ସହାୟତା ପ୍ରଦାନ କରି ଚୀନ୍ ସରକାର ଓ ଦେଶବାସୀ ଏହି ସଂଗଠନ ଉପରେ ସେମାନଙ୍କ ଭରସା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଚୀନ୍ ନିଜ ଗବେଷଣାଗାରରୁ କୋରୋନା ଭୂତାଣୁକୁ ଜନ୍ମ ଦେଇ ସମଗ୍ର ବିଶ୍ବରେ ମହାମାରୀ ସ୍ଥିତି ସୃଷ୍ଟି କରିଛି ଓ ଏ ସଂକ୍ରାନ୍ତରେ ଚୀନ୍ କହୁଥିବା ମିଛକୁ ମଧ୍ୟ ହୁ’ ସମର୍ଥନ କରୁଛି ବୋଲି ଟ୍ରମ୍ପ୍ ଅଭିଯୋଗ କରିଆସିଛନ୍ତି। ଗୋଟିଏ ପଟେ ୱାଶିଂଟନ୍ ପକ୍ଷରୁ ଏହି ସଂଗଠନକୁ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଆସୁଥିଲେ ମଧ୍ୟ ଏହା ନିୟମିତ ଭାବେ ଚୀନକୁ ସମର୍ଥନ କରିଆସୁଛି ବୋଲି ଟ୍ରମ୍ପ୍ ଅଭିଯୋଗ କରିଆସିଛନ୍ତି। ଟ୍ରମ୍ପଙ୍କ କହିବାନୁସାରେ, ଆମେରିକା ପକ୍ଷରୁ ହୁ’କୁ ବାର୍ଷିକ ୪ ଶହ ନିୟୁତରୁ ୫ ଶହ ନିୟୁତ ପ୍ରଦାନ କରାଯାଇଆସୁଥିବା ବେଳେ ଚୀନ୍ ମାତ୍ର ୪୦ ନିୟୁତ ଡଲାର୍ ଅବା ଏହାଠାରୁ କମ୍ ଦାନ କରିଆସିଛି। ସେହିପରି ଭୂତାଣୁ ବିଶେଷ ବିପଜ୍ଜନକ ସାବ୍ୟସ୍ତ ହେବା ପୂର୍ବରୁ ହୁ’ ପକ୍ଷରୁ ଉଦ୍ୟମ ହୋଇଥିଲେ ଏହାକୁ ରୋକାଯାଇପାରିଥାନ୍ତା ବୋଲି ମଧ୍ୟ ଟ୍ରମ୍ପ୍ ପୂର୍ବରୁ କହିବା ସହ ହୁ’ର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଆସିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ