ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁର ରିପୋର୍ଟ ଦୁଇ ବର୍ଷ ଧରି ଦେଉନାହାନ୍ତି ଜିଲ୍ଲାପାଳ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଖୁଣ୍ଟିଆ ଗ୍ରାମରେ ଦୁଇ ବର୍ଷ ତଳେ କୁକୁର ଆକ୍ରମଣରେ ଗ୍ରାମର ଲକ୍ଷ୍ମୀଧର ଧରୁଆଙ୍କ ଶିଶୁପୁତ୍ର ବସନ୍ତ ଧରୁଆ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଘଟଣାରେ କଳାହାଣ୍ଡି ଜିଲ୍ଲାପାଳ ଦୁଇ ବର୍ଷ ଧରି ରିପୋର୍ଟ ପ୍ରଦାନ କରୁନଥିବାରୁ ତାଙ୍କ ବିରୁଦ୍ଧରେ ସମନ୍ ଜାରି କରିଛି ଜାତୀୟ ମାନବାଧିକାର କମିଶନ।ଗତ ୭ ନଭେମ୍ବର ୨୦୨୨ରେ ଏନେଇ ସମନ୍ ଜାରି କରିଥିବା ବେଳେ ୩ ଜାନୁଆରୀ ୨୦୨୩ରେ କମିଶନଙ୍କ ନିକଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।ଗତ ୨୦୨୦ରେ ଘଟଣା ଘଟିଥିଲେ ମଧ୍ୟ ଏନେଇ ମାନବାଧିକାର କମିଶନ ୩ଥର ରିପୋର୍ଟ ମାଗିଥିଲେ ସୁଦ୍ଧା ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିବାରେ ଘୋର ଅବହେଳା ପ୍ରଦର୍ଶନ କରିଛନ୍ତି।ଦିଲ୍ଲୀପ କୁମାର ଦାଶଙ୍କ ପକ୍ଷରୁ ଆଗତ ଅଭିଯୋଗ ଆଧାରରେ ଜାତୀୟ ମାନବାଧିକାର କମିଶନ ଗତ ୮ ସେପ୍ଟେମ୍ବର ୨୦୨୦,୨୯ଜୁଲାଇ ୨୦୨୧ ଏବଂ ୨୦ ମଇ ୨୦୨୨ ନୋଟିସ ଜାରି କରି ରିପୋର୍ଟ ମାଗିଥିଲେ।କିନ୍ତୁ କଳାହାଣ୍ଡି ଜିଲ୍ଲାପାଳ ହେୟ ଜ୍ଞାନ କରି କୌଣସି ରିପୋର୍ଟ ଦାଖଲ କରିନଥିବାରୁ ଜାତୀୟ ମାନବାଧିକାର କମିଶନ ସମନ୍ ଜାରି କରିଛନ୍ତି।୨୩ ଡିସେମ୍ବର ୨୦୨୨ ସୁଦ୍ଧା ଯଦି ରିପୋର୍ଟ ଦାଖଲ କରନ୍ତି ତେବେ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜିରାରୁ ରକ୍ଷା ମିଳିବ ବୋଲି ସୂଚନା ଦିଆଯାଇଛି।


