ବେଲଗୁଣ୍ଠାରେ ଭୋଟ୍ ବାକ୍ପରେ ସିଲ୍ ହେଲା 590 ପ୍ରାର୍ଥୀଙ୍କ ଭାଗ୍ୟ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ରବିବାର ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଭୋଟର୍ ବାଛିଛନ୍ତି ସେମାନଙ୍କ ନେତା I ବ୍ଳକ୍ ର 18 ଟି ପଞ୍ଚାୟତରେ ଦୁଇଟି ପିଙ୍କ୍ ବୁଥ୍ ସମେତ 284 ଟି ବୁଥ୍ ରେ ଶାନ୍ତି ଶୃଙ୍ଖଳାର ସହିତ ସରିଛି ନିର୍ବାଚନ I ପୂର୍ବ ପ୍ରସ୍ତୁତି ଅନୁସାରେ ରବିବାର ସକାଳ ସାତଟାରେ ଭୋଟ ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନ ଗୋଟାଏରେ ମତଦାନ ସରିଥିଲା I କିନ୍ତୁ ନାଟେଙ୍ଗା ପଞ୍ଚାୟତର ବାଲିଭାଗ,ବଡ଼ପଡ଼ା ପଞ୍ଚାୟତର ସୋମନାଥପଲ୍ଲୀ,ମଙ୍ଗଳପୁର ପଂଚାୟତର ମଙ୍ଗଳପୁର, ଜିଲିବା ବୁଥ୍ ରେ ଦିନ ଗୋଟାଏ ପରେ ପ୍ରଶାସନ ସହଯୋଗରେ ଫାଟକ ବନ୍ଦ କରି ଅପରାହ୍ଣ 4 ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଜାରି ରହିଥିଲା I ମତଦାନ ସରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ବାଲାଟ୍ ବକ୍ସ ସବୁ ସିଲ୍ ହୋଇଛି ବ୍ଳକ୍ କାର୍ଯ୍ୟାଳୟର ଷ୍ଟ୍ରଙ୍ଗ୍ ରୁମ୍ ରେ I ବ୍ଳକ୍ ର 101475ଭୋଟରଙ୍କ ମଧ୍ୟରୁ 65641 ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି I ମୋଟ ଭୋଟର୍ ସଂଖ୍ୟାର ଶତକଡ଼ା 64.69 ପ୍ରତିଶତ ଭୋଟର୍ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି 500 ୱାର୍ଡ୍ ସଭ୍ୟ ପ୍ରାର୍ଥୀ, 40 ସମିତି ସଭ୍ୟ ପ୍ରାର୍ଥୀ, 38 ସରପଞ୍ଚ ପ୍ରାର୍ଥୀ ଏବଂ 12 ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ବାଲାଟ୍ ବକ୍ସ ମଧ୍ୟରେ ସିଲ୍ କରିଛନ୍ତି I ସେଥିମଧ୍ୟରୁ ମଙ୍ଗଳପୁର ପଂଚାୟତରେ ସର୍ବାଧିକ 75.47 ପ୍ରତିଶତ ମତଦାନ ହୋଇଥିବା ବେଳେ କ୍ଷତ୍ରିୟବରପୁର ପଞ୍ଚାୟତରେ ସର୍ବନିମ୍ନ 57.64 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି I ବେଲଗୁଣ୍ଠା ରେ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ, ବିଜେଡ଼ି ଜିଲ୍ଳା ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ,ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା, ବିଜେଡ଼ି ନେତା ଏସ୍ ରାମେଶ୍ୱର ପାତ୍ର, ଦୂର୍ଗା ମାଧବ ନାୟକ ,ଅନୀଲ୍ ପାଠୀ, ବିଦ୍ୟାଧର ବିଷୋୟୀ, ବରିଷ୍ଠ ବିଜେପି ନେତା କେ ରବୀନ୍ଦ୍ର ପାତ୍ର,ରମା ଖଣ୍ଡୁଆଳଙ୍କ ଭଳି ହେଭିୱେଟ୍ ଙ୍କ ସମେତ ବହୁ ନବାଗତଙ୍କ ମଧ୍ୟରେ ଲଢେଇ ହୋଇଛି I ବେଲଗୁଣ୍ଠା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଶଶି ଭୂଷଣ ମହାପାତ୍ର, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ତହସିଲଦାର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳିତ ହୋଇଛି I ଗାଙ୍ଗପୁର ପୋଲିସ୍ ଅଧିକାରୀ ଦେବ୍ କୁମାର ଗମାଙ୍ଗ,ବେଲଗୁଣ୍ଠା ପୋଲିସ୍ ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଆଠ ଜଣ ଇନ୍ସପେକ୍ଟର, 14 ଜଣ ସବ୍ଇନ୍ସପେକ୍ଟର,କନେଷ୍ଟବଳ ଏବଂ ସ୍ଵତନ୍ତ୍ର ଏପିଆର ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ କାର୍ଯ୍ୟ ଶୃଙ୍ଖଳିତ ଢ଼ଙ୍ଗରେ ସମ୍ପନ୍ନ ହୋଇଛି I ମଝିରେ ମଝିରେ ଅବ୍ଜଭର୍ ମାନେ ବିଭିନ୍ନ ବୁଥ୍ କୁ ଯାଇ ଭିଡ଼ିଓ କ୍ୟାମେରା ମାଧ୍ୟମରେ ସୁଟିଂ କରିଥିଲେ I କିଛି ବୁଥ୍ ରେ ଅଙ୍ଗନୱାଡି କର୍ମୀ ଏବଂ ପୋଲିଂ ପାର୍ଟିଙ୍କ ପାଖରେ ଥିବା ଭୋଟର୍ ଲିଷ୍ଟ୍ ରେ ତାଳମେଳ ନରହିବା ଯୋଗୁଁ ପୋଲିଂ ପାର୍ଟି ପାଖରେ ଥିବା ଲିଷ୍ଟ୍ ରେ ନିଜ ନାମ ନପାଇ ବହୁ ଭୋଟର୍ ନିରାଶରେ ଫେରିଥିବା ଜଣାପଡ଼ିଛି I ଆଜି ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳପୁର ପଞ୍ଚାୟତର ଜିଲିବା ବୁଥ କୁ ପରିଦର୍ଶନରେ ଆସିଥିଲେ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ମଧ୍ୟ ବେଲଗୁଣ୍ଠାର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି I ସମସ୍ତ ପୋଲିଂ ପାର୍ଟି,ସେକ୍ଟର୍ ଅଫିସର୍, ବ୍ଳକ୍ କାର୍ଯ୍ୟାଳୟ କର୍ମଚାରୀ ନିର୍ବାଚନ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ