ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ତୃତୀୟ ସାଧାରଣ ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ତୃତୀୟ ସାଧାରଣ ବୈଠକ ନଗରପାଳ ଫିରୋଜ କୁମାର ସେଠି ଙ୍କ ଅଧ୍ୟକ୍ଷତାରେ ମାନ୍ୟବର ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି | ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବସଷ୍ଟାଣ୍ଡ ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ନିରନ୍ତର ପାନୀୟ ଜଳ ଯୋଗାଣ ର ସୁପରିଚାଳନା, ସହରରେ ଟ୍ରାଫିକ ସମସ୍ୟା, ଗ୍ରାମକଣ୍ଠ କେସଗୁଡିକର ତୁରନ୍ତ ସମାଧାନ ତଥା ପରିଷଦ ଦ୍ୱାରା ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା | ବେଲଗୁଣ୍ଠା ର ସାମଗ୍ରିକ ବିକାଶ ଲକ୍ଷ ନେଇ ପରିଷଦର ସମସ୍ତ ପାରିଷଦ ତଥା ନଗରପାଳ ଓ ଉପନଗରପାଳ ମିଳିତ ଭାବେ ଗୋଟିଏ ଟିମ ମନୋଭାବ ରଖି କାର୍ଯ୍ୟ କରିବାକୁ ବିଧାୟକ ଓ ସାଂସଦ ପରାମର୍ଶ ଦେଇଥିଲେ | ବିଭିନ୍ନ ବିଭାଗ ଯଥା-ତହସିଲଦାର ଙ୍କ ସମେତ, ପୋଲିସ କର୍ତ୍ତୃପକ୍ଷ, ଟିପି ଏସଓଡ଼ିଏଲ, ଜନ ସ୍ୱାସ୍ଥ୍ୟ ବିଭାଗ, ସମ୍ୱନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗର ଅଧିକାରୀ ମାନେ ଏହି ବୈଠକ ରେ ଉପସ୍ଥିତ ରହି ନିଜ ନିଜ ବିଭାଗର ଉତ୍ତରଦାୟୀତ୍ୱ ସମ୍ପାଦନ କରିଥିଲେ | ନିମନ୍ତ୍ରିତ ଅତିଥି ଭାବେ ସାଂସଦ ପ୍ରତିନିଧି ରବିନାରାୟଣ ମହାପାତ୍ରଙ୍କ ସମେତ ଉପନଗରପାଳ ଓ ଜଣେ ପାରିଷଦ ବ୍ୟତୀତ ସମସ୍ତ ପାରିଷଦ ଉପସ୍ଥିତ ଥିବା ବେଳେ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ |