ଈଶାଣୀ ବୈଶାଖୀ ମହୋତ୍ସବ ଉଦ୍ଯାପନୀ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସହର ଉପକଣ୍ଠ ଈଶାଣୀ ଉଡ଼ାଯାତ୍ରା ପଡ଼ିଆ ତଥା ‘ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟେଡିୟମ୍’ରେ ‘ବୈଶାଖୀ ମହୋତ୍ସବ’ ଏକାଦଶ ସଂସ୍କରଣର ଚତୁର୍ଥ ଏବଂ ପଞ୍ଚମ ସନ୍ଧ୍ୟା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ୪ର୍ଥ ସନ୍ଧ୍ୟାରେ ମହୋତ୍ସବର ଉପସଭାପତି ନରେନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଦୀର୍ଘ ୧୧ ବର୍ଷର ସ୍ମୃତିକୁ ମନେପକାଇ ବାଲେଶ୍ୱର ଉପକୂଳବର୍ତ୍ତୀ ପ୍ରାୟ ୪୦ ଖଣ୍ଡ ଗ୍ରାମାଞ୍ଚଳବାସୀଙ୍କ ଉତ୍ସାହ ଉଦ୍ଦୀପନାକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବରେ ଦୈନିକ ‘ସକାଳ’ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଅସୀମ ମହାପାତ୍ର, ବାଲେଶ୍ୱରର ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ବିଶିଷ୍ଟ ଜନବାଦୀ କର୍ମୀ ସୁବକ୍ତା ଅରୁଣ ଜେନା ଏବଂ ଯୁବଉଦ୍ୟୋଗୀ ଚନ୍ଦ୍ରଶେଖର ରାଉତ ପ୍ରମୁଖ ଉପସ୍ଥିତ ଜନସମାବେଶକୁ ସାଧୁବାଦ ଜଣାଇଥିଲେ। ନବଭାରତ ଗଠନର ପିତାମହ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ – ଏ ମାଟିରେ ପାଦସ୍ପର୍ଶ କରି ଶାନ୍ତି, ମୈତ୍ରୀ ଓ ପ୍ରଗତିର ସତ୍ୟାଗ୍ରହ ପ୍ରେରଣା ଆଣିଦେବା ଈଶାଣୀ ମାଟିର ଶ୍ରେଷ୍ଠ ପୁରସ୍କାର ବୋଲି ଅତିଥିବର୍ଗ ନିଜନିଜର ପ୍ରାଣସ୍ପର୍ଶୀ ବକ୍ତବ୍ୟ ରଖିଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ସମବେତ ହଜାର ହଜାର ଭକ୍ତାଳୁ ବାଜା, ହୁଳହୋଳି ଶବ୍ଦରେ ପ୍ରକମ୍ପିତ କରିଥିବା ଗହଳି ଭିତରେ ମୁଖ୍ୟଅତିଥି ଓ ପ୍ରାକ୍ତନ ସାଂସଦ ରବୀନ୍ଦ୍ର କୁମାର ଜେନା ପାଟ ଭକତାମାନଙ୍କୁ ଏବଂ ପୂଜ୍ୟ ପୂଜକଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ଉଡ଼ାଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ମଂଚରେ ଉପସ୍ଥିତ ଅତିଥିବର୍ଗ ଶୁଭେଚ୍ଛୁ ନୀଳଗିରିର ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସାମାଜିକ କର୍ମୀ ବିରଳ ସଂଗ୍ରାହକ ସର୍ବେଶ୍ୱର ଦାସ, ସାରଗାଁର ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାୟକ, ସାରଗାଁର ନାଏକ ସରପଞ୍ଚ ମନ୍ମଥ ମାଝୀ, ଆଇନଜୀବୀ ସତ୍ୟେନ୍ଦ୍ର ରାଉତ, ବୈଶାଖୀ ମହୋତ୍ସବର ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି, ସାଧାରଣ ସଂପାଦକ ଭାଗବତ ସାହୁ ପ୍ରମୁଖ ନିଜନିଜର ସଂବେଦନଶୀଳ ସଂଘର୍ଷମୂଳକ ବକ୍ତବ୍ୟରେ ଲବଣ ସତ୍ୟାଗ୍ରହ ମିନିଷ୍ଟେଡିୟମ୍ର ପୂର୍ଣ୍ଣାଙ୍ଗ ନିର୍ମାଣ ବାବଦରେ ଅଂଚଳର ଲୋକପ୍ରତିନିଧି, ସରକାରୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ‘ମଣିଷର ସେବା ହିଁ ବୈଶାଖୀ ମହୋତ୍ସବର ଏକମାତ୍ର ଉଚ୍ଚାରଣ’ ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସବୁଥର ପରି ଏ ବର୍ଷ ମଧ୍ୟ ଶ୍ରୀମତୀ ବାସନ୍ତୀ ପାତ୍ରଙ୍କ ପ୍ରକାଶିତ ଓ ଉପସଭାପତି କବି ଶ୍ରୀଦେବଙ୍କ ସଂପାଦିତ ‘ବୈଶାଖୀ’ ଶିରୋନାମାରେ ପ୍ରକାଶିତ ସ୍ମରଣିକାକୁ ମୁଖ୍ୟଅତିଥି ଶ୍ରୀଯୁକ୍ତ ରବୀନ୍ଦ୍ର ଜେନା ଓ ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଦୀପ୍ତ ପଣ୍ଡା ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଉଦ୍ଯାପନୀ ସନ୍ଧ୍ୟା କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ହୋଇଥିଲାବେଳେ କାର୍ଯ୍ୟକାରୀ ସଦସ୍ୟ ଡମ୍ବରୁଧର ଦାସ ତାଙ୍କ ‘ଶେଷକଥା’ ରଖିଥିଲେ। ଏହି ଉପଲକ୍ଷେ ସାଥୀ ସଦସ୍ୟ ସଦସ୍ୟାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିରବଚ୍ଛିନ୍ନ ସହଯୋଗପାଇଁ ଅନୁଷ୍ଠାନର ସଭାପତି ଓ ସଂପାଦକଙ୍କ ଦ୍ୱାରା ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ସଂଗୀତାଶ୍ରୟୀ ଶ୍ରୀକାନ୍ତ ଦାସ ଓ ସାଥୀମାନଙ୍କ ଦ୍ୱାରା ‘ସ୍ୱାଗତ ସଂଗୀତ’ ପରିବେଷଣ କରିଥିବାବେଳେ ‘ବନ୍ଦେ ମାତରମ୍ ସଂଗୀତ’ରେ ଉଦ୍ଯାପନ କରାଯାଇଥିଲା।


