ଭର୍ତ୍ତୃହରିଙ୍କ ବିରୋଧରେ ତାଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର, (ୱାଇଏନ୍ଏସ୍): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ। ଭର୍ତ୍ତୃହରିଙ୍କ ବିରୋଧରେ ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଭର୍ତ୍ତୃହରିଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ଲୋକରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଭର୍ତ୍ତୃହରିଙ୍କ ବୋହୂ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାହାଘରରେ ତାଙ୍କ ବାପ ଘରେ ଲୋକେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ତାଙ୍କୁ ଶ୍ୱଶୁର ଘର ଲୋକେ ଏତିକିରେ ସନ୍ତୁଷ୍ଟ ନଥିଲେ। ସେମାନେ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି। ବାହାଘର ପରେ ପରେ ହିଁ ତାଙ୍କ ଉପରେ ଯୌତୁକ ପାଇଁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ସେଥିପାଇଁ ସେ ଭୋପାଳକୁ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ ଓ କୋର୍ଟଙ୍କ ସହାୟତା ନେଇଥିଲେ। ତାଙ୍କୁ ପାଖରେ ରଖିବା ଲାଗି କୋର୍ଟ ତାଙ୍କ ସ୍ୱାମୀ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶ୍ୱଶୁର ଘର ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲେ। ୨୦୧୮ରେ ଯେତେବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ତେଣୁ ସେ ପୁଣି ଭୋପାଳ ଫେରି ଯାଇଥିଲେ। ସେ ଆଶା ଛାଡ଼ି ନଥିଲେ ଓ ଅପେକ୍ଷା କରିଥିଲେ। ତେବେ ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ଗ୍ରହଣ କରିବା ନେଇ କୌଣସି ସୂଚନା ନ ଆସିବା ପରେ ସେ ବାଧ୍ୟ ହୋଇ ମହିଳା ଥାନାରେ ଏଫ୍ଆଇଆର୍ ଦେଇଥିଲେ।


