ଭାଗବତପୁର ପୋଷ୍ଟ ମାଷ୍ଟରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ଜନପ୍ରିୟ ପୋଷ୍ଟ ମାଷ୍ଟର ତଥା ପୋଇଲୋ ଗ୍ରାମର ଦୁର୍ଗାପ୍ରସାଦ ପତି( ବାପୁଜି ପତି)ଙ୍କର ୬୦ବର୍ଷ ବୟସରେ ଆଜି କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । ପ୍ରାୟ ୪/୫ଦିନ ପୂର୍ବେ ସେ ତାଙ୍କ ବାଇକ୍ରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବାକୁ ଆସୁଥିବାବେଳେ ଦୁହୁରିଆ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ପତିଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶବ ବାଲିଆ ବଜାରରେ ପହଞ୍ଚିବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ଗ୍ରାମ ପୋଇଲୋକୁ ନିଆଯାଇଥିଲା । ଏହି ଶବ ଶୋଭାଯାତ୍ରାରେ ଭାଗବତପୁର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶନି ନାୟକ, ଶିକ୍ଷକ ନାରାୟଣ ପତି, ଜମଧର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଧରଣୀଧର ଦାସ, ବଜାର କମିଟି ସଭାପତି ପ୍ରମୋଦ ସାହୁ, ପୂର୍ବତନ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସଂଗମ କୁମାର ସାମଲଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ବଦ୍ରିନାରାୟଣ ପତି ମୁଖାଗ୍ନି ଦେଇଥିଲେ ।


