ଭାରତରେ ସଂକ୍ରମଣ ହାର କମିଛି
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଏବେ ତାଣ୍ଡବ ରଚୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏମିତି ଏକ ସମୟରେ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ହେଲା, ଭାରତରେ କରୋନା ସଂକ୍ରମଣର ହାରାହାରି ବୃଦ୍ଧିହାର କମିଛି । ଯଦିବା ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି କେତୋଟି ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ହୋଇଛି; ତଥାପି ସାରା ଦେଶରେ ସଂକ୍ରମଣର ହାର କ୍ରମଶଃ କମୁଥିବା ନେଇ ଏକ ଆକଳନରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ସେ ସମୟରେ ଭାରତରେ କରୋନା ମାମଲା ପ୍ରାୟ ୫୦୦ ଥିଲା । କିନ୍ତୁ ସେତେବେଳେ ଆଶଙ୍କା କରାଯାଉଥିଲା ଯେ, ଅନ୍ୟ ଦେଶ ପରି ଭାରତରେ ମଧ୍ୟ କରୋନା ମାମଲା ଅତି ଶୀଘ୍ର ବଢ଼ିଯିବ । ସେହି ତାରିଖ ରେ ଭାରତରେ କରୋନାର ହାରାହାରି ବୃଦ୍ଧି ହାର ୨୧.୬ ପ୍ରତିଶତ ଥିଲା । ଏବେ ଏହା ୮.୧ ପ୍ରତିଶତକୁ କମିଯାଇଛି । ମାସକ ପୂର୍ବରୁ ଯେଉଁ ବୃଦ୍ଧିହାର ଥିଲା ତାହା ଯଦି ବଜାୟ ରହିଥାନ୍ତି । ତେବେ ଭାରତରେ କରୋନା ମାମଲା ଏତେବେଳକୁ ୨ ଲକ୍ଷ ଟପି ଯାଇଥାନ୍ତା । ମାତ୍ର ବିପଦ ଏବେ ବି ଟଳିନାହିଁ । କାରଣ ଲକଡାଉନ ପଞ୍ଚମ ସପ୍ତାହରେ ତିନି ଦିନ ମଧ୍ୟରେ ୮.୧ ପ୍ରତିଶତ ବୃଦ୍ଧି ହାର ସର୍ବାଧିକ ପ୍ରଭାବିତ ହୋଇଥିବା ଅନ୍ୟ କିଛି ଦେଶ ତୁଳନାରେ ଯଥେଷ୍ଟ ଅଧିକ ଥିବା ପରିଲକ୍ଷିତ ହୋଇଛି । ଜର୍ମାନୀ ଏହି ଲକଡାଉନ ଅବଧି ମଧ୍ୟରେ କରୋନାର ବୃଦ୍ଧିହାର ୨ ପ୍ରତିଶତକୁ କମାଇଥିବା ବେଳେ ଆମେରିକାରେ ମଧ୍ୟ କରୋନା ବୃଦ୍ଧିହାର ୪.୮ ପ୍ରତିଶତ ରହିଛି । ଭାରତରେ ବର୍ତ୍ତମାନର କରୋନାର ଏହି ବୃଦ୍ଧିହାର ଯଦି ବଜାୟ ରହେ ତେବେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଏବଂ ୧୫ ଦିନ ମଧ୍ୟରେ ଏହା ୭୦ ହଜାରକୁ ବୃଦ୍ଧି ପାଇବ ।


