ଭୀକ୍ଷୁ ବୋଧିପାଲଙ୍କ ବିୟୋଗରେ ଶୋକସଭା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଶିଷ୍ଟ ବୌଦ୍ଧ ସନ୍ନ୍ୟାସୀ, କଲିକତା ବୁଦ୍ଧ ଧର୍ମାଙ୍କୁର ସଭାର ସାଧାରଣ ସମ୍ପାଦକ, ମହାବୋଧି ମହାବିହାର ବୁଦ୍ଧଗୟାର ପୂର୍ବତନ ମୁଖ୍ୟ ପୂଜକ, କାଳଚିନି କରୁଣା ସେବା ଟ୍ରଷ୍ଟର ସଭାପତି ତଥା ଆନ୍ତର୍ଜାତିକ ଭାଇଚାରା ସମିତି ଆସାମର ଟ୍ରଷ୍ଟି, ଭୀକ୍ଷୁ ବୋଧିପାଲଙ୍କ ଆକସ୍ମିକ ବିୟୋଗରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଆଜି ସନ୍ଧ୍ୟାରେ ଏକ ଶୋକସଭା ସର୍ବଭାରତୀୟ ମହାବୋଧି ସମିତିର ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଦିବଂଗତ ଭୀକ୍ଷୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରାରମ୍ଭିକ ସୂଚନା ଦେଇ ଟ୍ରଷ୍ଟି ତଥା ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ଭୀକ୍ଷୁ ବୋଧିପାଲ ଜଣେ ଅତ୍ୟନ୍ତ ଭଦ୍ର, ନମ୍ର ଏବଂ ବନ୍ଧୁବତ୍ସଳ ଭୀକ୍ଷୁ ଥିଲେ । ବହୁ ଅନୁଷ୍ଠାନ ସହ ସେ ନିଜକୁ ସାମିଲ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶା ଶାଖାର ସଭାପତି, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଭଗବାନ ବୁଦ୍ଧଙ୍କ କୁରୁଣାର ସେ ଜଣେ ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ । ଆଜୀବନ ସଦସ୍ୟ, ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ସ୍ୱର୍ଗତ ଭୀକ୍ଷୁଙ୍କ ଧର୍ମପଦର ବାଖ୍ୟା ଅତ୍ୟନ୍ତ ସରଳ ଓ ଭାବପୂର୍ଣ୍ଣ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ସହ କୋଷାଧ୍ୟକ୍ଷ ନବୀନ କୁମାର ସାହୁ, ଗବେଷକ ଅନିଲ୍ ଧୀର୍ ପ୍ରମୁଖ ବହୁ ବିଶିଷ୍ଟ ବୁଦ୍ଧପ୍ରେମୀ ସ୍ୱର୍ଗତ ଭୀକ୍ଷୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଥିଲେ । ଆତ୍ମାର ଶାନ୍ତି ପାଇଁ ‘ଅନିଚ୍ଛାବତ ଶଙ୍ଖରା’ ସୂତ୍ର ପାଠ କରାଯିବା ପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।


