ଭୁବନେଶ୍ୱରରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ

ଓଡ଼ିଶା ବୁଣାକାରମାନେ ହସ୍ତତନ୍ତର ମହାନ ଓ ସୁନ୍ଦର କଳାକୁ ସଂରକ୍ଷିତ କରି ରଖିଛନ୍ତି ଏବଂ ଭାରତ ବଜାରରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଛନ୍ତି । ଭାରତ ସରକାରଙ୍କ ହସ୍ତତନ୍ତ ବିଭାଗ ଏହି ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖିବ ଏବଂ ଆନ୍ତର୍ଜାତିକ ବଜାରରେ ଏହାର ଚାହିଦା ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିବ । ଏହା ଫଳରେ ଓଡ଼ିଆ ବୁଣାକାରମାନେ ଯେତିକି ମୂଲ୍ୟ ପାଉଛନ୍ତି ତାର ୧୦ ଗୁଣା ଅଧିକ ମୂଲ୍ୟ ପାଇପାରିବେ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରି ଏହି ମନ୍ତବ୍ୟ ଦେଇଛନ୍ତି ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ସଚିବ ରବି କପୁର । “ହସ୍ତତନ୍ତ ଉତ୍ପାଦ ବିକ୍ରି କ୍ଷେତ୍ରରେ ଆମେ ମଧ୍ୟବର୍ତି ବ୍ୟକ୍ତିମାନଙ୍କୁ ହଟେଇ ଦେବାପାଇଁ ଚେଷ୍ଟା କରୁଛୁ । ଏହା ଫଳରେ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇପାରିବେ,” ବୋଲି ସେ ପ୍ରକାଶ କରିଛନ୍ତି ।  “ବିଶ୍ୱର ପ୍ରାୟ ୨୦୦ ଦେଶ ମଧ୍ୟରୁ ମାତ୍ର ୮-୧୦ଟି ଦେଶ ହସ୍ତତନ୍ତ କ୍ଷେତ୍ରରେ ସମୃଦ୍ଧ । ଏହି କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଭାରତ ପାଖରେ କ୍ଷମତା ରହିଛି । ତେବେ ଏଥିପାଇଁ ହସ୍ତତନ୍ତ କ୍ଷେତ୍ରରେ ଅନେକ କାମ କରିବାକୁ ରହିଛି । ଏହି କ୍ରମରେ ଓଡ଼ିଶାର ବୁଣାକାରମାନେ ଭଲ ଉଦ୍ୟମ ଜାରି ରଖିଛନ୍ତି । ସରକାର ବୁଣାକାରମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସେମାନେ ଏହାର ଲାଭ ଉଠାଇବା ଆବଶ୍ୟକ । ଯୁବପିଢ଼ୀଙ୍କୁ ବୁଣାକାର କ୍ଷେତ୍ରକୁ ଆକର୍ଷିତ କରାଯିବା ଆବଶ୍ୟକ । ମାତ୍ର ଏଥିପାଇଁ ସେମାନେ ଯେପରି ଭଲ ପାରିଶ୍ରମିକ ପାଇବେ ତାର ବ୍ୟବସ୍ଥା କରାଯିବା ଦରକାର । ଏନେଇ ସମସ୍ତଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଉଛି, ” ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା ରିପୋର୍ଟକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ହସ୍ତତନ୍ତ କ୍ଷେତ୍ରରେ ଦୁଇ ଜଣ ପଦ୍ମଶ୍ରୀ ପୁରସ୍କାର ବିଜେତା – ଗୋବର୍ଦ୍ଧନ ପାନିକ ଓ ଚତୁର୍ଭୁଜ ମେହେର ଏବଂ ୧୨ ଜଣ ସନ୍ଥ କବୀର ପୁରସ୍କାର ବିଜେତା – କଳାବତୀ ମେହେର, ସ୍ୱର୍ଣ୍ଣଲତା ମେହେର, ଶରତ କୁମାର ପାତ୍ର, ଭକ୍ତରାଜ ମେହେର, ଭଗବାନ ମେହେର, ଦୟାଳୁ ମେହେର, ସୁରେନ୍ଦ୍ର ମେହେର, ଶ୍ୟାମସୁନ୍ଦର କରଣ, ଭିକାରୀ ମେହେର, ମୁରଲୀ ମେହେର, କ୍ଷେତ୍ରମୋହନ ମେହେର ଓ ଶଶିଧର ମେହେରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟନ୍ତୀ ସାହୁ, ରଜନୀ ପାତ୍ର, ଟି ଭାରତୀ, ବିଦ୍ୟାଧର ମହନ୍ତ ଓ ଭଗବାନ ତନ୍ତିଙ୍କୁ ହସ୍ତତନ୍ତ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରୁ ସର୍ବଭାରତୀୟ ସ୍ତରରେ ପରିଚୟ ପତ୍ର ବଂଟନର ଧାରା ଆରମ୍ଭ କରାଯାଇଛି । ସେହିପରି ନିଶାମଣି ସାହୁ, ଜୟନ୍ତୀ ଦାସ, ରୁକୁଣା ଦାସ, ମମତା ଚାନ୍ଦ ଓ ସୌଭାଗ୍ୟ ପଲଙ୍କୁ ୟର୍ଣ୍ଣ ପାସବୁକ୍ ପ୍ରଦାନ କରାଯାଇଛି । ଏହିପରି ପାସବୁକ୍ ସର୍ବଭାରତୀୟ ସ୍ତରରେ ବଂଟନ କରାଯିବ । ହସ୍ତତନ୍ତର ପରମ୍ପରା ସମ୍ବନ୍ଧୀୟ ଏକ ବୃତ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପିତାମ୍ବର ମେହେର, ନରୋତମ ମେହେର, ପ୍ରହ୍ଲାଦ ମେହେର, ଭାଗବତ ମେହେର ଓ ଧରଣୀଧର ମେହେରଙ୍କୁ ମୁଦ୍ରା ଯୋଜନା ଅନ୍ତର୍ଗତ ଋଣ ପ୍ରଦାନ କରାଯାଇଥିଲା । ସୋଲାର ଆଲୋକ ୟୁନିଟ୍ ଗ୍ରହଣ କରିଥିଲେ ଲକ୍ଷ୍ମୀପ୍ର୍ରି୍ରୟା ବେହେରା, ସରସ୍ୱତୀ ଦାସ, ରାଧାକାନ୍ତ ହରିପାଲ, ବିଜୟ ମେହେର ଓ କରୁଣାକର ମହାନନ୍ଦ । ଶ୍ରୀଧର ନାଥ, ଲକ୍ଷ୍ମଣ ପାଗଳ, ଗିରିଧର ପାଗଳ, ଲକ୍ଷପତି ମେହେର ଓ ଭିକାରୀ ମେହେର ହସ୍ତତନ୍ତ ସମ୍ବର୍ଦ୍ଧନ ସହାୟତା ଗ୍ରହଣ କରିଥିଲେ । ୱାର୍କସେଡ୍ ନିର୍ମାଣ କରିଥିବାରୁ ଦିଗମ୍ବର ମେହେର, ଭୁବନେଶ୍ୱର ମେହେର, କିଶୋର ମେହେର, ଯୁଧିଷ୍ଠିର କେତକୀ ଓ ଦ୍ୱିତୀୟ ମେହେରଙ୍କୁ ପ୍ରଣାମ ପତ୍ର ପ୍ରଦାନ କରାଯାଇଥିଲା । ହସ୍ତତନ୍ତ କଳାକୁ ନେଇ ଏକ ଆକର୍ଷଣୀୟ ପ୍ରଦର୍ଶନୀର ମଧ୍ୟ ଆୟୋଜନ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତଶିଳ୍ପ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରଣାଳୟର କମିଶନର ଏବଂ ସଚିବ ଶୁଭା ଶର୍ମା ଓ ଭାରତ ସରକାରଙ୍କ ହସ୍ତତନ୍ତ ବିକାଶ କମିଶନର ସଞ୍ଜୟ ରସ୍ତୋଗି ଅତିଥି ଭାବେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ