ଭୁବନେଶ୍ୱରରେ ବଡ଼ ଧରଣର ଜମି ଜାଲିଆତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚନ୍ଦକା ଥାନା ମଳିପଡ଼ା ମୌଜାରେ ବ୍ୟାପକଭାବେ ଜମି ଜାଲିଆତି ହୋଇଛି । ଚଞ୍ଚକତାପୂର୍ଣ୍ଣ ଭାବେ ମିଛ ଜମି ମାଲିକ ଦେଖାଇବା ସହ ମିଛ ଦଲିଲ ଓ ପଟ୍ଟାକୁ ନକଲ କରି ମୃତ୍ୟୁବରଣ କରିଥିବା ବା ବୃଦ୍ଧମାଲିକମାନଙ୍କ ଜାଗକୁ ବିଭିନ୍ନ ଲୋକଙ୍କୁ ମିଛରେ ବିକ୍ରୟ କରାଯାଇଛି । ଏ ସମ୍ପର୍କରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଚନ୍ଦକା ଥାନରେ ତା ୨୫.୭.୨୦୧୯ରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଉପରେ ପୋଲିସ୍ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଓ ଏହି ଠକାମୀରେ ସମ୍ପୃକ୍ତ ଥିବା ସରକାରୀ ଅଫିସରଙ୍କୁ ଗିରଫ କରାଯାଇ ପାରିନାହିଁ । ଗିରଫ ହୋଇଥିବା ଦଲାଲମାନଙ୍କ ଘରୁ ଓ ଅଫିସ୍ରୁ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ ସରକାରୀ ଷ୍ଟାମ୍ପ ଓ ପାଞ୍ଚ ହଜାରରୁ ଉଦ୍ଧ୍ୱର୍ ନକଲି ଦଲିଲ୍ ଜବତ କରାଯାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ, ଏହି ନକଲି ଜମି ବିକ୍ରୟକାରୀ ର୍ୟାକେଟ ରାଜଧାନୀରେ କେତେ ସକ୍ରିୟ! ଏହି ନକଲି ମାଲିକଙ୍କୁ ଛିଡ଼ା କରାଇ ଜମି ବିକ୍ରି କରିଥିବା ଦଲାଲମାନେ ହେଉଛନ୍ତି ନାରାୟଣ ମହାରଣା, ଅରୁପ ହାଲଦାର, ବିକାଶ ପଣ୍ଡା, ଲିଙ୍ଗରାଜ ରାଓ, ଅଶୋକ ପଣ୍ଡା, ଦିଲ୍ଲୀପ ସାହୁ, ଅବିନାଶ ରାଉତ, ସୁମିତ୍ ମହାନ୍ତି । ଏହି କାରବାରରେ ଭୁବନେଶ୍ୱରର ଖଣ୍ଡଗିରି ରାଜସ୍ୱ ଅଧିକାରୀ, ମୁଖ୍ୟ କିରାଣୀ ଓ ସବ୍-ରେଜିଷ୍ଟରଙ୍କ ଭୂମିକା ମଧ୍ୟ ସନ୍ଦେହଜନକ । କାରଣ ପ୍ରକୃତ ଜମି ମାଲିକଙ୍କ ପରିଚୟ ପତ୍ର, ଜମିର ଅସଲି ପଟ୍ଟା ଓ ଦଲିଲ୍ ବଦଳରେ କିଭଳି ଚଞ୍ଚକତା କରାଯାଇ ନକଲି କାଗଜ ପତ୍ର ଓ ନକଲି ମାଲିକଙ୍କୁ ଚିହ୍ନଟ କରି ସରକାରୀ ଭାବେ ଜମି ବିକ୍ରୟ କରାଗଲା ତାହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ସିଧାସଳଖ ଭାବେ ଏମାନଙ୍କୁ ଦୋଷୀ ଭାବେ ଗ୍ରହଣ କରାଯିବା ଉଚିତ୍ । କିନ୍ତୁ ପରିତାପର ବିଷୟ ଏପର୍ଯ୍ୟନ୍ତ ମୁଖ୍ୟ ଆସାମୀ କିମ୍ବା ଏହି ସରକାରୀ ଅଫିସରଙ୍କୁ ପଚରା ଉଚରା କରାଯାଇ ଗିରଫ କରାଯାଇ ନାହିଁ । ଏହି ର୍ୟାକେଟ୍ରେ ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ଥିବାରୁ ପୋଲିସ୍ ବେଶି ଆଗେଇ ପାରୁନାହିଁ । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ରାଜସ୍ୱ ମନ୍ତ୍ରୀ, ବିଭାଗୀୟ ରାଜସ୍ୱ ସଚିବଙ୍କୁ ଆମେ ଅନୁରୋଧ କରୁଛୁ ଯେ, ଏହି ଜମି ଜାଲିଆତି ଘଟଣାର ତ୍ୱରିତ ତଦନ୍ତ କରି ଉଭୟ ଦଲାଲ ଏବଂ ଦୋଷୀ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ନଚେତ୍ ଠକାମୀର ଶିକାର ହୋଇଥିବା ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ, ସମାଜସେବୀ ପ୍ରତାପ ସାହୁ, ରାଜେଶ ବେହେରା ଓ ପ୍ରକୃତ ଜମି ମାଲିକ ଯିଏକି ଠକାମୀର ଶିକାର ହୋଇଛନ୍ତି ସେମାନେ ହେଲେ ଉଦୟନାଥ ମହାପାତ୍ର,
ପ୍ରଭାତୀ ତ୍ରିପାଠୀ, କୈଳାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


