ଭୁୁବନେଶ୍ୱର ଓ ରାଉରକେଲାରେ ନୂତନ ଅବକାରୀ ଜିଲ୍ଲା ଗଠନ ହେବ
ଭୁବନେଶ୍ୱର (ୱାଇଏନ୍ଏସ୍):ଓଡିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ସହିତ ଉପ ଅବକାରୀ ଅଧିକ୍ଷକ ସ୍ତରରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଚଳନ, ଦୁଇଟି ନୂତନ ଅବକାରୀ ଜିଲ୍ଲା ଓ ୫ ଗୋଟି ନୂତନ ଅବକାରୀ ଥାନା ସୃଷ୍ଟି କରିବା ଏବଂ ଅବକାରୀ କମିଶନର କାର୍ଯ୍ୟାଳୟକୁ ରାଜସ୍ୱ ବୋର୍ଡ ଠାରୁ ପୃଥକ କରି ଅବକାରୀ ନିର୍ଦେଶାଳୟ ରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରା ଯାଇଛି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ଅନୁମୋଦନ ଦିଆ ଯାଇଛି । ସେହିପରି ଆନ୍ତ ରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତି ଆଦିକୁ ବିଚାରକୁ ନେଇ ଭଦ୍ରକ ଜିଲ୍ଲାର ତିହିଡି, ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଢେଙ୍କାନାଳ ଜିଲ୍ଲାର ଭୁବନ, ଖୋର୍ଧା ଜିଲ୍ଲାର ବେଗୁନିଆ ଓ ସୁନ୍ଦରଗଡ ଜିଲ୍ଲାର ପାନପୋଷ ଠାରେ ନୂତନ ଅବକାରୀ ଥାନା ସୃଷ୍ଟି କରିବାକୁ ଆସିଥିବା ପ୍ରସ୍ତାବକୁ ମଂଜୁରୀ ଦିଆ ଯାଇଥିଲା ।


