ଭୋକିଲାଙ୍କ ତ୍ରାଣକର୍ତ୍ତା ସୀତାରାମ ବାବା
ଚେନ୍ନାଇ: ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ । କେବଳ ମଣିଷ ନୁହେଁ, ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହା ପୂଣ୍ୟ ବୋଲି କୁହାଯାଏ । ତାମିଲନାଡୁର ରାମେଶ୍ୱରମ୍ରେ ୭୦ ବର୍ଷ ହେବ ସୀତାରାମ ଦାସ ବାବାଙ୍କ ଆଶ୍ରମ ରହିଛି । ଏହି ଆଶ୍ରମରେ ସେ ଦୀର୍ଘ ୩୬ ବର୍ଷ ହେବ ପ୍ରତିଦିନ ପ୍ରାୟ ୫ ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ବୋଲି କୁହାଯାଏ । ରାମନାଥ ସ୍ୱାମୀ ମନ୍ଦିରକୁ ଲାଗି ରହିଥିବା ଏହି ଆଶ୍ରମକୁ ଯିଏ ବି ତୀର୍ଥଯାତ୍ରୀ ଅବା ପର୍ଯ୍ୟଟକ ଆସନ୍ତି, ସେମାନେ କେହି ଖାଲି ପେଟରେ ଯାଆନ୍ତି ନାହିଁ । ଏହି ଆଶ୍ରମର ନାଁ ହେଉଛି ବଜରଙ୍ଗ ଦାସ ବାବା ଆଶ୍ରମ । ଏଠାରେ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ଖାଦ୍ୟ ଦିଆଯାଇଥାଏ । ଏଠାରେ ଜାତିଧର୍ମ, ବର୍ଣ୍ଣର କୌଣସି ବାରଣ ନ ଥାଏ । ତେବେ ଭକ୍ତଙ୍କ ଦାନରେ ଏହି ଆଶ୍ରମ ଚାଲେ ବୋଲି ବାବା କୁହନ୍ତି । ପ୍ରତିଦିନ ସକାଳ ୫ଟାରୁ ଉଠି ବାବା ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରନ୍ତି । ଦିନ ୧୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଏଠାରେ ମାଗଣାରେ ଖାଇବାକୁ ମିଳିଥାଏ ।


