ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଧବାର ଦିନ ବୁଗୁଡା ଗସ୍ତରେ ଆସି ବୁଗୁଡା ବ୍ଲକର ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିବା ଜଣା ପଡ଼ିଛି । ବୁଗୁଡା ବ୍ଲକରେ ଫେବୃଆରୀ ୧୮ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତର ସମସ୍ତ ଭୋଟ ବାକ୍ସ ଷ୍ଟ୍ରଙ୍ଗ ରୁମରେ ନିରାପଦରେ ଥିବାବେଳେ କଡା ପୋଲିସ ପ୍ରହାରା ବ୍ୟବସ୍ଥା କରାଯାଇଛି । ଆସନ୍ତ ୨୬ ତାରିଖ ଦିନ ୪୧ ନମ୍ବର ଜିଲ୍ଲା ପରିଷଦ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ଓ ୱାର୍ଡ ମେମ୍ବର ସମେତ ଜିଲ୍ଲା ପରିଷଦ ସଦସ୍ୟାଙ୍କ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସେହିପରି ୨୭ ତାରିଖରେ ୪୨ ନମ୍ବର ଜୋନ ଓ ୨୮ ତାରିଖ ଦିନ ୪୩ ନମ୍ବର ଜୋନର ସରପଞ୍ଚ, ସମିତି ମେମ୍ବର ଓ ୱାର୍ଡ ମେମ୍ବରଙ୍କ ସମେତ ଜିଲ୍ଲା ପରିଷଦ ପାଇଁ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବ । ଭୋଟ ଗଣତି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି । ଫେବୃଆରୀ ୨୩ ତାରିଖ ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଭୋଟ ଗଣତି କେନ୍ଦ୍ରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାକୁ ଆସିଥିଲେ । ବୁଗୁଡା ବ୍ଲକ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ ପରେ ଶ୍ରୀ ମିଞ୍ଜ ସନ୍ତୋଷ ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ମିଞ୍ଜଙ୍କ ସହ ବୁଗୁଡା ବିଡ଼ିଓ ଶ୍ରୀ ପାତ୍ର ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ ।


