ମହୁଡା ଗ୍ରାମରେ ଆତଙ୍କ ସୃଷ୍ଟିକାରୀ କୁଖ୍ୟାତ ଅପରାଧୀ ପାଣ୍ଡା ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମରେ ଗତ ଜାନୁଆରୀ ୨୨ ତାରିଖରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧିକୁ ସ୍ଥାନୀୟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଅପରାଧୀ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ଉଦୟ ଗୈାଡଙ୍କ ପୁଅ ପାଣ୍ଡା ଗୈାଡ ବୋଲି ସୂଚନା ମିଳିପାରିଛି । ସୂଚନା ପ୍ରକାରେ ଅଭିଯୁକ୍ତ ପାଣ୍ଡା ଗତ ଜାନୁଆରୀ ମାସ ଅପରାହ୍ନରେ ମହୁଡା ଗ୍ରାମରେ ଏକ ଧାରୁଆ କାତି ଧରି ବୁଲିବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ଅପୂର୍ବ ବସ୍ତିଆ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲା ଏବଂ ଅପୂର୍ବକୁ ହତ୍ୟା କରିବା ପାଇଁ ଗୋଡ଼ାଇଥିଲା । ଯାହାଫଳରେ ଯୁବକ ଜଣକ ପ୍ରାଣ ଭୟରେ ଘରୁ ପଳାଇବାରେ ସମର୍ଥ ହୋଇଥିଲା । କିନ୍ତୁ ବସ୍ତିଆଙ୍କ ସ୍ତ୍ରୀ ବାସନ୍ତୀ ଏହାର ପ୍ରତିବାଦ କରିବାରୁ ପାଣ୍ଡା ଧରିଥିବା କାତିରେ ବାମଗୋଡକୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହାପରେ ପଡୋଶୀଙ୍କ ଦୁଇଜଣଙ୍କୁ ମଧ୍ୟ ଆକ୍ରମଣ କରି ସେଠାରୁ ଯିବା ସମୟରେ ଗ୍ରାମ ଶିବ ମନ୍ଦିର ଛକରେ ୩ ରୁ ୪ ଜଣ ଯୁବକଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲା । ଏନେଇ ବାସନ୍ତୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଘଟଣା ପରଠାରୁ ଅଭିଯୁକ୍ତ ଫେରାର ରହିଥିଲା । ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୨୯/୨୨ ଦଫା ୨୯୪/ ୩୨୪/୪୫୨/୩୦୭/୩୫୪/୪୨୭/୫୦୬/୩୪ ଆଇପିସି/୨୭ ଆର୍ମ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ତେବେ ଗତକାଲି ପୋଲିସ କୈାଶଳକ୍ରମେ ଅଭିଯୁକ୍ତ ପାଣ୍ଡାକୁ ଗିରଫ କରିଥିବା ବେଳେ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଅଭାବ କାରଣରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।


