‘ମଞ୍ଜରୀ’ରେ ପ୍ରସାରିତ ହେବ ପୌରାଣିକ ଧାରାବାହିକ ‘ଲକ୍ଷ୍ମୀ ପୁରାଣ’

ଭୁବନେଶ୍ୱର,(ୱାଇଏନ୍ଏସ୍): ପବିତ୍ର ମାର୍ଗଶୀର ମାସରେ ‘ମଞ୍ଜରୀ’ ନେଇ ଆସୁଛି ପ୍ରତିଟି ଓଡ଼ିଆର ଆରାଧ୍ୟ ଦେବୀ ମା’ ଲକ୍ଷ୍ମୀଙ୍କର ବ୍ରତ ବୃତାନ୍ତ ‘ଲକ୍ଷ୍ମୀ ପୁରାଣ’ । ଐଶ୍ୱର୍ଯ୍ୟ ଏବଂ ସିଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ କରୁଣା ପ୍ରାପ୍ତି ଆଶାରେ ପ୍ରତି ଗୁରୁବାର ଓଡ଼ିଆ ଘରେ ମାଣ ବସେ ଓ ଅଗଣାରେ ଅଙ୍କା ଯାଏ ଚିତା ଓ ଝୋଟି । ଶୁଦ୍ଧପୁତ ଚିତ୍ତରେ ପୂଜାର୍ଚ୍ଚନା ହୁଏ ମା’ ଲକ୍ଷ୍ମୀଙ୍କର । ପୌରାଣିକ କଥାବସ୍ତୁ ଅନୁଯାୟୀ ଲକ୍ଷ୍ମୀଙ୍କ ରୋଷରେ ବଡଠାକୁରମାନେ ବାର ବର୍ଷ କାଳ କିପରି ଭୋକ ଉପାସରେ ବିତାଇଥିଲେ ସେହି ପୃଷ୍ଠ ଭୂମି ଉପରେ ‘ମଞ୍ଜରୀ’ ନିର୍ମାଣ କରୁଛି ଧାରାବାହିକ ‘ଲକ୍ଷ୍ମୀ ପୁରାଣ’। ସିଲୁ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହି ଧାରାବାହିକରେ ସାଣ୍ଟୁ, ଅଂଶୁମାନ, ଗାର୍ଗୀ ମହାନ୍ତି, ଶୀତଲ, ନରେନ୍ଦ୍ର, ଶୁଭ୍ରାଂଶୁ, ଋଷି, ମମତା, ମୋନାଲିସା ଏବଂ ସରଙ୍କ ସହିତ ଅନେକ ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିବ । ଓଡ଼ିଶାର ପ୍ରଥମ ଦେୟମୁକ୍ତ ଚ୍ୟାନେଲ ‘ମଞ୍ଜରୀ’ରେ ଆଗାମୀ ୩ ତାରିଖରୁ ପ୍ରତି ଗୁରୁବାରରୁ ମଙ୍ଗଳବାର ସନ୍ଧ୍ୟା ୫ ଟା ୩୦ରେ ଏହାର ପ୍ରସାରଣ କରାଯିବ । ଏଥି ସହିତ ପ୍ରତି ଗୁରୁବାର ସକାଳ ୫ଟାରେ ଓଡ଼ିଶାର ଲୋକପ୍ରିୟ ଗାୟିକା ଦିପ୍ତୀରେଖାଙ୍କ ସୁମଧୁର କଣ୍ଠରେ ମାଣବସା ଗୁରୁବାର ଗୀତର ପ୍ରସାରଣ କରାଯିବ । ଜାତୀୟସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରଡକ୍ସନ କମ୍ପାନୀ କଣ୍ଟିଲୋ ଫିଲ୍ମସର ସହଭାଗିତାରେ ଏହି ଧାରାବାହିକର ନିର୍ମାଣ କରାଯାଇଛି, ଯାହାର ଗ୍ରାଫିକ୍ସ ଏବଂ ଆନିମେସନ୍ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିବ ବୋଲି ଚ୍ୟାନେଲ ପକ୍ଷରୁ ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ