ମଡ୍ କୁକିଜ୍
ବିବାହ, ବ୍ରତ ହେଉ ଅବା କୌଣସି ଫଙ୍କ୍ଶନ୍, ଅନେକ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ । ଲୋକେ ଯେତିକି ଖାଆନ୍ତି ନଷ୍ଟ ଅଧିକ କରନ୍ତି । କୁଢ଼ କୁଢ଼ ଖାଦ୍ୟ ଅଳିଆଗଦାକୁ ଯାଏ । ତେବେ ଖାଲି କୌଣସି କାର୍ଯ୍ୟକ୍ରମରେ ନୁହେଁ ଏମିତିକି ଘରେ ଘରେ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ । ୟୁନାଇଟେଡ୍ ନେସନ୍ସର ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେଶନ୍ର ରିପୋର୍ଟ ମୁତାବକ ପ୍ରାୟ ୧.୩ ଟନ୍ ଖାଦ୍ୟ ଉପଯୋଗୀ ଜିନିଷ ଅଳିଆଗଦାରେ ପକାଇ ଦିଆଯାଏ । କିନ୍ତୁ ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି ଲୋକେ ଖାଇବାକୁ ନ ପାଇ ଅନାହାରରେ ମରି ମରି ଜିଅନ୍ତି । କିଛି ସ୍ଥାନରେ ତ ପେଟ ଚାଖଣ୍ଡକର ଜ୍ୱାଳା କମାଇବା ଲାଗି ଲୋକେ ଅଖାଦ୍ୟ ଖାଇବାକୁ ବାଧ୍ୟ ହୁଅନ୍ତି । ଯେମିତିକି ହୈତିରେ ଲୋକେ କାଦୁଅରେ ବିସ୍କୁଟ କରି ଖାଆନ୍ତି । ଫଳରେ ସେମାନେ ଅନେକ ରୋଗର ଶିକାର ହେଉଛନ୍ତି । ହେଲେ ପେଟର ଜ୍ୱାଳାକୁ ଶାନ୍ତ କରିବା ପାଇଁ ସେମାନେ ଏଭଳି କରିବାକୁ ବାଧ୍ୟ । ସେମାନେ ପାହାଡ଼ର ମାଟିକୁ ବରଦାନ ଭାବନ୍ତି । କାରଣ ଅନ୍ୟ ଖାଦ୍ୟ ନ ମିଳିବାରୁ ସେମାନେ ସେହି ମାଟିରେ ପାଣି ଓ ବନସ୍ପତି ତେଲ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତି । ଆଉ ତା’ପରେ ତା’କୁ ବିସ୍କୁଟର ଆକାର ଦେଇ ଖରାରେ ଶୁଖାନ୍ତି । ଶୁଖିବା ପରେ ତା’କୁ ଖାଇଥାଆନ୍ତି । ନିଜ ପିଲାକୁ ସେମାନେ ଫଳମୂଳ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବାକୁ ଚାହାନ୍ତି । ହେଲେ ଟଙ୍କା ନ ଥିବାରୁ ସେମାନେ ଏହି କାଦୁଅ ବିସ୍କୁଟ୍ ବା ମଡ୍ କୁକିଜ୍ ଦେଇଥାଆନ୍ତି ।


