ସେତୁ ଗୁଡିକରେ ଫାଟି ସୃଷ୍ଟି

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ସେତୁ । ଏହାର ସଠିକ ତଦାରଖ ପାଇଁ କନିଷ୍ଠ ଯନ୍ତ୍ରୀ ଠାରୁ ମୂଖ୍ୟଯନ୍ତ୍ରୀ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଉଛି । କିନ୍ତୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କର ଲାଭଖୋର ମନବୃତୀ ଯୋଗୁଁ କାର୍ଯ୍ୟ ହେବାର ଅଳ୍ପ ଦିନ ମଧ୍ୟରେ ଉକ୍ତ ସେତୁ ଗୁଡିକରେ ଫାଟି ସୃଷ୍ଟି ହେଉଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଧିନ ଦେବୀନଦୀ ଉପରେ ଥିବା ଶିଖର ସେତୁରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ସେତୁଟି ପୂର୍ତ ବିଭାଗ ଓ ସଡକ ବିଭାଗ ପକ୍ଷରୁ ୯.୨.୨୦୦୪ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୩୧.୩.୨୦୦୮ ମସିହାରେ ଶେଷ କରାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି । ଏହି ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୧୨୦୨.୪୦ ଲକ୍ଷ ଅର୍ଥ ବ୍ୟୟ କରାଯାଇଥିଲା । ଏହି ସେତୁରେ ୨୧ଟି ସ୍ୱାନ ରହିଥିବା ବେଳେ ଲମ୍ବ ୭୯୮.୫୨ ମିଟର ରହିଛି । କିନ୍ତୁ ଏହି ସେତୁ ନିର୍ମାଣ ସରିବାର ଏକ ଦଶନ୍ଧି ମଧ୍ୟରେ ଗୋଟିଏ କି ଦୁଇଟି ନୁହେଁ ୪ଟି ସ୍ପାନରେ ଫାଟ ଦେଖିବାକୁ ମିଳିଥିଲା । ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀମାନେ ବିଭିନ୍ନ ସମୟରେ ଦୃର୍ଘଟଣା ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୂର୍ତ ବିଭାଗର ଚେତା ପଶିଥିଲା । ଫଳରେ ବିଭାଗ ପକ୍ଷରୁ ସେତୁରେ ସୃଷ୍ଟି ହୋଇଥିବା ଫାଟ ଭିତରେ ଜୁଲାଇ ୨୦ ତାରିଖରେ ବାଲି ଓ ସିମେଂଟ ମାଧ୍ୟମରେ ‘ର’ ‘ଠ’ ଭାବରେ ମରାମତି କାର୍ଯ୍ୟ କରାଯାଇ ସେହିଦିନ ଶେଷ କରି ଦିଆଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଯାହାଫଳରେ ମରାମତି ହୋଇଥିବା ୪ଟି ସ୍ପାନ ମଧ୍ୟରୁ ୩ଟିର ସ୍ଥିତି ୧୦ଦିନ ମଧ୍ୟରେ ପୂର୍ବ ଅବସ୍ଥାକୁ ଫେରି ଆସିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁର ମରାମତି କାର୍ଯ୍ୟରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ବିଷୟକୁ ନେଇ ଜଗତସିଂହପୁର ବିଭାଗୀୟ ଏସଡିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ