ମରେଇଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଅବାଧ ଗଛକଟାକୁ ନେଇ ଅସନ୍ତୋଷ

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ପରିସରରେ ଦୀର୍ଘବର୍ଷ ଧରି ରହି ଆସିଥିବା ଦେବଦାରୁ ଗଛ ଗୁଡ଼ିକୁ ଅବାଧରେ କାଟି ଦିଆଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଛ ଗୁଡିକ ୩୦/୪୦ ବର୍ଷର ପୁରୁଣା ଗଛ ହୋଇଥିବା ବେଳେ ଯେ କୌଣସି କାର୍ଯ୍ୟ ନେଇ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଲେ ସେହି ଗଛ ଛାଇରେ ବିଶ୍ରାମ କରୁଥିଲେ। ଏହି ଗଛଗୁଡ଼ିକ କାଟି ଦିଆଯିବା ପରେ ପଞ୍ଚାୟତ ପରିସରର ପରିବେଶ ମଧ୍ୟ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସରପଞ୍ଚଙ୍କ ସାମ୍ନାରେ ଗଛ କାଟି ଦିଆଯାଇଥିଲେ ମଧ୍ୟ ଏନେଇ କୌଣସି ଆପତ୍ତି କରାଯାଇନଥିଲା। ଏପରିକି ଗଛକାଟିବା ପାଇଁ ହାଟଡିହି ବିଡିଓ କିମ୍ବା ବନ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସରକାରଙ୍କ ସାମାଜିକ ବନୀକରଣ ଓ ପରିବେଶ ସୁରକ୍ଷା ନୀତିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପଞ୍ଚାୟତ ପରିସରରେ ଥିବା ପୁରୁଣା ଗଛକୁ ଏଭଳି କାଟିବା ଘଟଣାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରପଞ୍ଚଙ୍କ ସ୍ୱାମୀଙ୍କ ସାମ୍ନାରେ ଗଛ କାଟିବା ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ତଦନ୍ତ କରି ଗଛ କାଟିବା ପାଇଁ ଅନୁମତି ନିଆଯାଇଥିଲା କି ନାହିଁ ଏବଂ ନିୟମ ଉଲ୍ଲଂଘନ ହୋଇଥିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଗଛ ଅସୁବିଧା ସୃଷ୍ଟି କରୁଥିଲା। ପଞ୍ଚାୟତ ପରିସରରେ ଅନେକ ଗଛ ଅଛି, ଆମେ ୱାର୍ଡ ସଭ୍ୟାଙ୍କ ପରାମର୍ଶ କ୍ରମେ ୫ଟି ଗଛ କାଟିଛୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ