ମହାଆଡ଼ମ୍ବର ସହକାରେ ପାଳିତ ହେଲା ରଥଯାତ୍ରା : ୨ବର୍ଷ ପରେ ବଡ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ
ହିଞ୍ଜିିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପକ୍ଷରୁ ସପ୍ତଦଶ ତମ ରଥଯାତ୍ରା ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିନତମାମ ପାଗ ଅନୁକୂଳ ଥିବାରୁ ରଥଯାତ୍ରା ସକାଶେ ହିଞ୍ଜିିଳିକାଟୁ ସହର ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉମାନଙ୍କ ନୀତିକାନ୍ତି ଭୋର ୪ ଟା ବେଳେ ମୂଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ମଙ୍ଗଳ ଆଳତି ଠାରୁ ଆରମ୍ଭ କରି କ୍ରମାନ୍ୱୟରେ ଅବକାଶ, ବଲ୍ଲଭଭୋଗ, ରୋଷହୋମ, ସୂର୍ଯ୍ୟପୂଜା ଆଦି ସମାପନ ହୋଇଥିଲା । ପୂର୍ବାହ୍ନ ୧୦ ଟାରେ ମହାପ୍ରଭୁଙ୍କ ରଥଯାତ୍ରା କାଳୀନ ଖେଚୁଡ଼ି ଭୋଗ ଲାଗିବା ପରେ ମଇଲମ ଓ ସେନାପଟଲାଗି, ଟାହ୍ୟାଲାଗି ହୋଇଥିଲା । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ସହାୟକ ରଞ୍ଜିତ ଦାଶ ଶର୍ମା ରଥ ପ୍ରତିଷ୍ଠା କରିବା ପରେ ବୈଦିକ ରୀତିରେ ମଙ୍ଗଳାର୍ପଣ କରିବା ପରେ ମଧ୍ୟାନ୍ନ ପ୍ରାୟ ୧ ଟାରେ ଠାକୁର ମାନଙ୍କୁ ବିଭିନ୍ନ ବାଦ୍ୟ ବାଜଣା, ହରିବୋଲ, ହୁଳହୁଳି ଧ୍ୱନି ସହ ଛତି ତରାସ, ବାନା ବୈରଖ, ନୃତ୍ୟାଦି ବିରାଟ ପଟୁଆର ମଧ୍ୟରେ ଦିଅଁ ମାନଙ୍କୁ ଗୋଟି ପହଣ୍ଡିରେ ରଥ ପର୍ଯ୍ୟନ୍ତ ପହଣ୍ଡି ବିଜେ କରାଯାଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନ ଓ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ରଥରେ ଠାକୁର ମାନେ ରଥଯାତ୍ରା କାଳୀନ ବେଶଭୁଷାରେ ବିମଣ୍ଡିତ ହେବା ପରେ ସପ୍ତଆଳତି କରାଯାଇ ସର୍ବସାଧାରଣଙ୍କୁ ଦର୍ଶନ ଓ ଭୋଗାର୍ପଣ କରିବାର ସୁଯୋଗ ମିଳିଥିଲା । ପରେ ମନ୍ଦିର ସେବାଧିପତି ଲିଙ୍ଗରାଜ ସାହୁ ରଥରେ ଛେରାପହଁରା କରିଥିଲେ । ସାରଥୀ ଉପବେଶନ, ଅଶ୍ୱଯୋଚା ଓ ଦଉଡ଼ି ବନ୍ଧନ ପ୍ରକିୟା ପରେ ଅପରାହ୍ନ ପ୍ରାୟ ସାଢେ ୪ ଟାରେ ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ବିଡିଓ ସୁବ୍ରତ କୁମାର ଜେନା ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଦ୍ୱାରା ରଥ ଟଣାର ଶୁଭାରମ୍ଭ କରାଯାଇଥିଲା । ସେବାଧିପତିଙ୍କ ଉଆସ ସମ୍ମୁଖରେ ପାରମ୍ପରିକ ପୂଜାର୍ଚ୍ଚନା ସକାଶେ କିଛି ସମୟ ପାଇଁ ରଥ ଅଟକି ରହିଥିଲା । ପୂଜାର୍ଚ୍ଚନା ପରେ ପୁଣି ଥରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ରଥ ମିନି ଷ୍ଟାଡିୟମ ପରିସରସ୍ଥ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିକଟରେ ପହଞ୍ଚିଥିଲା । ସାନ୍ଧ୍ୟ ଆଳତି ଓ ମୁକ୍ତ ଦର୍ଶନ ପରେ ରାତ୍ର ପ୍ରାୟ ୧୦ ଟାରେ ଚତୁର୍ଦ୍ଧାମୂର୍ତି ଦିଅଁ ମାନେ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ଧରି ରଥଯାତ୍ରା ପାଳନ କରାଯାଇନଥିବାରୁ ଚଳିତ ବର୍ଷ ରଥଯାତ୍ରାରେ ଦର୍ଶକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ଲୋକନାଥ ସାହୁ, ଧନସେବକ ହରିହର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିବରାମ ପଟ୍ଟନାୟକ, ନୃସିଂହ ପ୍ରସାଦ ପଟ୍ଟନାୟକ, ଜଗନ୍ନାଥ ସାହୁ, ମନୋଜ ପାଢି, ମନମୋହନ ଦାଶ, ପ୍ୟାରୀମୋହନ ପାଢି, ଶିଶିର ପଣ୍ଡା, ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ଅଶୋକ ସାମନ୍ତରା, ସୁଦର୍ଶନ ପାଣିଗ୍ରାହୀ, ଯୁଗଳ ପଣ୍ଡା, ଯୋଗିନ୍ଦ୍ର ପାଣିଗ୍ରାହୀ, ଟୁଟୁ ମୁନି, ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା କମିଟି ସଦସ୍ୟ, ତ୍ରିରଙ୍ଗା ସେବା ସଙ୍ଘ କମିଟି ସଦସ୍ୟ, ମନ୍ଦିର ସ୍ୱେଛାସେବୀ ପ୍ରମୁଖ ରଥଯାତ୍ରା ପରିଚାଳନାରେ ଅଂଶଗ୍ରହଣ କରିଥିଲେ । ରଥଯାତ୍ରା ସକାଶେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପୌର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ହିଞ୍ଜିିଳିକାଟୁ ପୌରାଞ୍ଚଳ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁଷ୍ଠିତ ରଥଯାତ୍ରାରେ ହିଞ୍ଜିଳିକାଟୁ ରାଜା ସାହେବ ଲଳିତ କିଶୋର ଭଞ୍ଜଦେଓ ରଥ ରଥ ଉପରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସେହିପରି ପାଟଣା ସାହି ଏବଂ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ସାରୁ, କଞ୍ଚୁରୁ, ଦୁର୍ବନ୍ଧ ସମେତ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମରେ ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।


