ମହିଳାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆସନ୍ତା ୨୮ରେ ସିପିଆଇ ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆସନ୍ତା ୨୮ ତାରିଖରେ ବନ୍ତ ବ୍ଲକ ସମ୍ମୁଖରେ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ସିପିଆଇ ଓ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଉଭୟ ଦଳର ନେତୃତ୍ୱଙ୍କ ଠାରୁ ସୂଚନା ମିଳିଛି । ଏନେଇ ସିିପିଆଇ ଜୋନ୍ କମିଟିର ସଂପାଦକ ରମେଶ ଜେନା ଓ ବ୍ଲକ କଂଗ୍ରେସ କମିଟିର ୧୬ନଂ.ଜୋନ୍ ସଭାପତି ନିରଂଜନ ମଲ୍ଲିକ ଭଦ୍ରକ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଡି.ପି.ଏମ୍, ବିଡିଓ, ବନ୍ତ ଥାନା ଆଇଆଇସିଙ୍କୁ ଲିଖିତ ଅବଗତ କରିଛନ୍ତି । ପ୍ରକାଶ ଯେ, ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାପତି ଓ ସଂପାଦିକାଙ୍କୁ ଅଗଣତାନ୍ତ୍ରିକ ଭାବେ ପଦବୀରୁ ବାହାର କରାଯାଇ ନୂତନ ସଭାପତି ଓ ସଂପାଦିକା ଚୟନ କରିବା ପ୍ରତିବାଦରେ ଗତ ତା-୩୦-୯-୨୦ ରିଖରେ ମହିଳା ମହାସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଗଣଧାରଣା ଓ ଅନଶନ କରାଯାଇଥିଲା । ଦୀର୍ଘ ୭ ଦିନ ଅନଶନ କରାଯିବା ପରେ ଜିଲା ପ୍ରଶାସନର ପ୍ରତିଶୃତ କ୍ରମେ ମହିଳା ମହାସଂଘର ନେତ୍ରୀ ମାନେ ସିପିଆଇ ଓ କଂଗ୍ରେସ ଦଳର ନେତୃତ୍ୱଙ୍କ ଉପସ୍ଥିତିରେ ଅନଶନ ଭଙ୍ଗ କରିଥିଲେ । ପ୍ରତିଶୃତ ମୁତାବକ ତଦନ୍ତକାରୀ ଟିମ୍ ମାଧ୍ୟମରେ ୩ ଦିନ ମଧ୍ୟରେ ଉକ୍ତ ଘଟଣାର ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତ ଦିଆଯାଇଥିଲା । ମାତ୍ର ୧୩ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ଦେଇଥିବା ପ୍ରତିଶୃତି ଅନୁସାରେ କୌଣସି କାର୍ଯ୍ୟ ଆରମ୍ଭ ନହେବାରୁ ଉଭୟ ଦଳର ନେତୃତ୍ୱ ମାନେ ବାଧ୍ୟ ହୋଇ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିକ୍ଷୋଭ କରିବେ ବୋଲି ସୂଚନା ଦେଇଛନ୍ତି ।


