ମହିଳାଙ୍କ ପେଟରୁ ବାହାରିଲା ତଉଲିଆ
ଅପରେଶନ୍ ସମୟରେ ଡାକ୍ତର ରୋଗୀଙ୍କ ପେଟରେ କଇଁଛି, ଛୁଞ୍ଚି, ଛୁରୀ ଆଦି ଭୁଲରେ ଛାଡ଼ି ଦେଇଥିବା ଖବର ପୂର୍ବରୁ ପଢ଼ିଛେ । କିନ୍ତୁ ଏଥର ମହିଳାଙ୍କ ପେଟରେ ଡାକ୍ତର ଅପରେଶନ ସମୟରେ ଏକ ଛୋଟ ତଉଲିଆ ରଖି ଦେଇଥିବା ଖବର ସାମ୍ନାକୁ ଆସିଛି । ସ୍କାନିଂ ଏବଂ ଅଲ୍ଟ୍ରାସାଉଣ୍ଡ୍ ପରେ ଏହି ଘଟଣା ଜଣାପଡ଼ିଛି । ଉତ୍ତରପ୍ରଦେଶର ବାଗ୍ପତ ଜିଲ୍ଲାର ୪୦ ବର୍ଷୀୟା ନିଶା ବେଗମଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଘଟିଛି । ନିଶାଙ୍କ ପେଟରେ ଷ୍ଟୋନ୍ ହୋଇଥିବାରୁ ସେ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅପରେଶନ୍ କରାଇଥିଲେ । କିନ୍ତୁ ଅପରେଶନ୍ ପରେ ତାଙ୍କ ପେଟରେ ଦରଜ ରହିଲା । ଫଳରେ ସେ ୬ ମାସ ଧରି ଡାକ୍ତରଖାନା ଦୌଡ଼ିଲେ । ଔଷଧ ବଦଳାଇ ଦିଆଗଲା । ତଥାପି କୌଣସି ପରିବର୍ତ୍ତନ ଦେଖାଦେଲା ନାହିଁ । ଶେଷରେ ତାଙ୍କୁ ଦିଲ୍ଲୀ ସ୍ଥିତ ହିନ୍ଦୁରାଓ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ୧୫ ଦିନ ଡାକ୍ତରଖାନାରେ ରଖି କିଛି ପରୀକ୍ଷାନିରୀକ୍ଷା କରିବା ପରେ ଦ୍ୱିତୀୟ ଥର ଅପରେଶନ୍ କରାଇଲେ । ଯାହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ । ନିଶାଙ୍କ ପେଟରେ ଏକ ଛୋଟ ତଉଲିଆ ଏବଂ ବ୍ୟାଣ୍ଡେଜ୍ କପଡ଼ା ଥିବା ଡାକ୍ତର ଦେଖିବାକୁ ପାଇଥିଲେ । ଯେଉଁଥିପାଇଁ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ଘଟଣା ଜଣାପଡ଼ିବା ପରେ ନିଶାଙ୍କ ପରିବାର ଲୋକେ ପୂର୍ବରୁ ଅପରେଶନ୍ କରାଇଥିବା ଡାକ୍ତରଙ୍କ ନାମରେ କେସ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।


