ମାତ୍ର ପାଞ୍ଚ ମିନିଟରେ ମସ୍ତିଷ୍କରୁ ଉଭାନ ହୋଇଯାଏ ୯୫ପ୍ରତିଶତରୁ ଅଧିକ ସ୍ୱପ୍ନ
ଏମିତି କେହି ନାହିଁ ଯିଏ ସ୍ୱପ୍ନ ଦେଖେନାହିଁ । ମଣିଷ ତ ଶୋଇବା ମାତ୍ରେ ସ୍ୱପ୍ନ ଦେଖେ । ତେବେ ପଶୁପକ୍ଷୀଙ୍କ ମସ୍ତିଷ୍କରେ ମଧ୍ୟ ସ୍ୱପ୍ନର ଆଭାସ ଦେଖା ଦେଇଥାଏ । ସେମାନେ ମନେରଖିପାରନ୍ତି ନାହିଁ କିମ୍ବା ପ୍ରକାଶ କରିପାରନ୍ତି ନାହିଁ । ମାତ୍ର ମଣିଷ ତାହାକୁ ମନେ ରଖିପାରେ । ପ୍ରକାଶ କରିପାରେ । ପୁଣି ସ୍ଥଳ ବିଶେଷରେ ସ୍ୱପ୍ନର ବିଶ୍ଳେଷଣ କରି ସେଥିରୁ ଭଲମନ୍ଦ ନିରୂପଣ କରିପାରେ । ଏବେ ନିକଟରେ ସ୍ୱପ୍ନକୁ ନେଇ ଏକ କୌତୁହଳପ୍ରଦ ତଥ୍ୟ ପଦାକୁ ଆସିଛି । ଅନେକେ କହନ୍ତି ଯେ, ଆମେ କିଛି ସ୍ୱପ୍ନ ଦେଖୁନାହୁଁ । ଆମକୁ ଭଲ ନିଦ ହୋଇଯାଉଛି । ତେଣୁ ଆମ ପାଖକୁ ସ୍ୱପ୍ନ ଆସୁନାହିଁ । ସ୍ୱପ୍ନ ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭୁଲ । ସ୍ୱପ୍ନ ସମସ୍ତେ ଦେଖନ୍ତି । ଆଉ ଦେଖିବାକୁ ବି ବାଧ୍ୟ । କାରଣ ଆମର ମସ୍ତିଷ୍କ ସବୁବେଳେ କ୍ରିୟାଶୀଳ । ଆମେ ଶୋଇଥିବା ବେଳେ ବି ମସ୍ତିଷ୍କ ତା’ର କାର୍ଯ୍ୟ କରୁଥାଏ । ପୁଣି ମସ୍ତିଷ୍କରେ ଭିନ୍ନ ଭିନ୍ନ ପର୍ଯ୍ୟାୟ ରହିଛି; ଯେଉଁଠାରେ ମସ୍ତିଷ୍କ ସବୁବେଳେ କିଛି ନା କିଛି ଫାଣ୍ଟାସୀ ବା କାଳ୍ପନିକ ଚିତ୍ର ପ୍ରସ୍ତୁତ କରୁଥାଏ । ତେଣୁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ତେବେ ମଜାର କଥା ହେଉଛି ଏଇଆ ଯେ, ୯୫ପ୍ରତିଶତରୁ ଅଧିକ ସ୍ୱପ୍ନ ମାତ୍ର ପାଞ୍ଚ ମିନିଟ୍ ଭିତରେ ମସ୍ତିଷ୍କରୁ ଉଭାନ ହୋଇଯାଇଥାନ୍ତି । ସେସବୁକୁ ସ୍ୱପ୍ନ ଦେଖୁଥିବା ଲୋକଟି ମନେ ରଖିପାରି ନ ଥାଏ । ସେଥିଲାଗି ଆମେ ବେଳେବେଳେ କହୁ ଯେ, ଆମେ କାଲିରାତିରେ ସ୍ୱପ୍ନ ଦେଖିନାହୁଁ ।


