ମାର୍ଚ୍ଚରେ ୩.୧୮% ବଢିଲା ପାଇକାରୀ ମୁଦ୍ରାସ୍ଫିତି
ନୂଆଦିଲ୍ଲୀ, (ଏଜେନ୍ସି): ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟରେ ବୃଦ୍ଧି କାରଣରୁ ପାଇକାରୀ ମୂଲ୍ୟ ସୂଚକାଂକ ଆଧାରିତ ମୁଦ୍ରାସ୍ଫିତି ଲଗାତାର ଦ୍ୱିତୀୟ ମାସରେ ବୃଦ୍ଧି ପାଇଛି । ମାର୍ଚ୍ଚରେ ଏହା ୩.୧୮%ରେ ପହଞ୍ଚିଛି । ସୋମବାର ଜାରି ସରକାରୀ ଆକଳନରେ ଏହାର ସୂଚନା ମିଳିଛି । ଫେବ୍ରୁଆରୀରେ ପାଇକାରୀ ମୁଦ୍ରାସ୍ଫିତି ୨.୯୩% ତଥା ଗତ ବର୍ଷ ମାର୍ଚ୍ଚରେ ୨.୭୪% ଥିଲା । ମାର୍ଚ୍ଚ ୨୦୧୯ରେ ଖାଦ୍ୟ ପଦାର୍ଥ ଓ ପନିପରିବା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ପନିପରିବାର ମୁଦ୍ରାସ୍ଫିତି ଫେବ୍ରୁଆରୀରେ ୬.୮୨%ରୁ ବୃଦ୍ଧି ପାଇ ମାର୍ଚ୍ଚରେ ୨୮.୧୩%ରେ ରହିଛି । ସେହିପରି ଆଳୁ ମୂଲ୍ୟରେ ବୃଦ୍ଧି ଫେବ୍ରୁଆରୀରେ ୨୩.୪୦% ହ୍ରାସ୍ ପାଇ ମାର୍ଚ୍ଚରେ ୧.୩୦%ରେ ରହିଛି । ଆଲୋଚ୍ୟ ମାସରେ ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫିତି ୫.୬୮% ରହିଛି । ଇନ୍ଧନ ଏବଂ ବିଦ୍ୟୁତ୍ ଶ୍ରେଣୀରେ ମଧ୍ୟ ମୁଦ୍ରାସ୍ଫିତି ଫେବ୍ରୁଆରୀରେ ୨.୨୩% ବୃଦ୍ଧି ପାଇ ମାର୍ଚ୍ଚରେ ୫.୪୧%ରେ ପହଞ୍ଚିଛି । ଏକ ସପ୍ତାହ ପୂର୍ବରୁ ଜାରି ଆକଳନ ଅନୁସାରେ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫିତି ମଧ୍ୟ ଫେବ୍ରୁଆରୀରେ ୨.୫୭% ବୃଦ୍ଧି ପାଇ ୨.୮୬%ରେ ପହଞ୍ଚିଛି । ମାର୍ଚ୍ଚରେ ଖାଦ୍ୟ-ପାନୀୟ ସାମଗ୍ରୀରେ ଖୁଚୁରା ମୁଦ୍ରାସ୍ଫିତି ହାର ବୃଦ୍ଧି ପାଇ ୦.୩% ହୋଇଛି । ଯାହାକି ଫ୍ରେବୃଆରୀରେ ୦.୬୬% କମ୍ ଥିଲା । ଫଳ ଓ ପନିପରିବାରେ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫିତି ହାରରେ କ୍ରମଶଃ ୫.୮୮% ଓ ୪.୯୦%ରେ ହ୍ରାସ୍ ରହିଛି ।


