ମାସ୍କ ନପିନ୍ଧି ଦୁଇ ଦିନରେ ତଣ୍ଡ ଗଣିଲେ ୮୧ ଅମାନିଆ

ହିଞ୍ଜିଳିକାଟୁ, (ୱାଇଏନଏସ): ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଛି । ଏହାକୁ ରୋକିବା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ବିଭିନ୍ନ ଉପାୟରେ ସରକାର ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ଅନଲକ୍‌-୧ ଜୁନ ୧ ତାରିଖ ଠାରୁ ଆରମ୍ଭ ହେବା ପରେ ଅମାନିଆଙ୍କୁ ସାବାଡ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଜୋରିମାନା ୨ ଗୁଣରୁ ଅଧିକ ବଢାଇ ଦିଆଯାଇଛି । ରାସ୍ତାରେ ଛେପ ପକାଇଲେ କିମ୍ବା ମାସ୍କ ବ୍ୟବହାର ନକରି ବାହାରେ ବୁଲୁଥିବା ଅମାନିଆଙ୍କ ଠାରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଉଥିବା ବେଳେ ବର୍ତମାନ ୫ଶହ ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ ରାସ୍ତାରେ ଛେପ ପକାଇଲେ କିମ୍ବା ମାସ୍କ ବ୍ୟବହାର ନକରି ବାହାରେ ବୁଲୁଥିବା ଅମାନିଆଙ୍କ ଠାରୁ୧ହଜାର ଟଙ୍କା ଜୋରିମାନା ଆଦାୟ କରିବା ସକାଶେ ସରକାର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୁଲିସ ଓ ପୌର ପ୍ରଶାସନର ମିଳିତ ସହଯୋଗରେ ରବିବାର ୩୬ ଅମାନିଆଙ୍କ ଠାରୁ ୨ଶହ ଟଙ୍କା ଲେଖାଏଁ ୭ହଜାର ୨ଶହ ଓ ସେମାବାର ନୂତନ ନିୟମ ଅନୁସାରେ ୪୫ ଅମାନିଆଙ୍କ ଠାରୁ ୫ଶହ ଟଙ୍କା ଲେଖାଏଁ ୨୨ ହଜାର ୫ଶହ ଟଙ୍କା ସର୍ବମୋଟ ୮୧ ଅମାନିଆଙ୍କ ଠାରୁ ୨୯ହଜାର ୭ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପୁଲିସ ଓ ପୌର କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଅଗାମୀ ଦିନରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ