ମା ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ର ନିଳାଦ୍ରିପୁର ଗ୍ରାମ ପାହାଡ ଶିଖରେ ବିଜେ କରିଥିବା ମା ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ବୁଧବାର ଠାରୁ ରୀତିନୀତି ଅନୁଯାୟୀ ପାଳନ ହୋଇଯାଇଛି । ଏଥି ନିମନ୍ତେ ନିଳାଦ୍ରିପୁର ଗ୍ରାମ ସମେତ ଆଖପାଖ ଅଂଚଳ ମଧ୍ୟ ବେଶ୍ ଉତ୍ସବମୁଖର ହୋଇପଡିଛି । ଏହି ଅବସରରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଦୀପ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ବ୍ରହ୍ମ ଯଜ୍ଞ ଓ ନାମ ଯଜ୍ଞ ଆଦି ମହା ଆଡମ୍ଭର ସହକାରେ ଚାଲୁ ରହିଛି । ଆଜି ମନ୍ଦିର ପ୍ରତିଷ୍ଠା ର କର୍ମାରମ୍ଭ ହୋଇଥିବା ବେଳେ ସୁର୍ଯ୍ୟ ପୂଜା, ଗୋପୂଜା, ଶାଲା ସଂସ୍କାର, ବନ ଯଜ୍ଞ, ରତ୍ନମୁଦ୍ରା, ସଂସ୍କାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦେବତା ଓ ପ୍ରାସାଦ ପୁରୁଷଙ୍କ ହରିଦ୍ରାଧି ବାସ ଶୁକ୍ରବାର ଦେବତାଦେହେ ପ୍ରାଣ ପ୍ରତିଷ୍ଠା ଶନିବାର ତ୍ରୀଶୂଳ ଓ ଧ୍ୱଜ ସ୍ଥାପନା, ରବିବାର ମା ରାମଚଣ୍ଢୀଙ୍କ ସିଂହାସନ ଆରୋହଣ ଓ ସୋମବାର ଦିନ ନାମ ବିଶ୍ରାମ ଓ ନଗର କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାହାଡ ଉପରକୁ ଯିବା ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏହା ସହିତ ଜଳ ଛତ୍ର ମଧ୍ୟ ଖୋଲାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପାହାଡ ପାଦଦେଶ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବହୁ ପୋଲିସ୍ ମୃତୟନ କରାଯାଇଛି ।


