ମିଳୁନି ଜମାରାଶି, ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସାହାରା ଗ୍ରୁପର ୪ ଟି ମଲ୍ଟି ଷ୍ଟେଟ ସମବାୟର କ୍ଷତିଗ୍ରସ୍ଥ ଜମାକାରୀଙ୍କ ସମେତ ଜିଲ୍ଲାର ମାଇକ୍ରୋ ଫାଇନାନ୍ସ, ଗୋଲଡେନ ଲ୍ୟାଣ୍ଡ, ଅର୍ଥ ତତ୍ୱ , ସି ସୋର ସମେତ ଶତାଧିକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ମାନେ ବୁଧବାର ସାହାରା ଜମାକାରୀ ମଞ୍ଚ ଓ ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ର ନେତୃତ୍ୱରେ ହଜାର ହଜାର ଜମାକାରୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିଛନ୍ତି । ପ୍ରାରମ୍ଭରେ ଜମାକାରୀଙ୍କ ଟଙ୍କା କୁ ଫେରସ୍ତ କରିବା ଦାବି ନେଇ ହାତରେ ବିଭିନ୍ନ ଫ୍ଲା କାର୍ଡ ଧରି ସ୍ଥାନୀୟ ଅପର ବସଷ୍ଟାଣ୍ଡ ଠାରୁ ଏକ ରାଲିରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସାହାରା ଗ୍ରୁପ ଅଧିନର ୪ ଟି ମଲ୍ଟି ଷ୍ଟେଟ ସମବାୟ ସଂସ୍ଥା ମାଧ୍ୟମରେ ଓଡିଶାର ପ୍ରତି ଗ୍ରାମରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ବର୍ଦ୍ଧିତ ସୁଧର ପ୍ରଲୋଭନ ଦେଖାଇ ଜମାଟଙ୍କା ନେଇ ପରିପକ୍ୱ ରାଶି ଫେରସ୍ତ ନଦେଇ, ନୂଆ ନୂଆ ନାମିତ ସ୍କିମକୁ ଏହି ପରିପକ୍ୱ ରାଶି ପରିବର୍ତ୍ତନର ବାହାନାରେ ପରିପକ୍ୱ ରାଶି ଫାଙ୍କି ଚାଲିଛି । ୨୦୧୨ ମସିହାରୁ ଜମା ଟଙ୍କାର ପରିପକ୍ୱତା ସମୟ ଅତିକ୍ରାନ୍ତ ସତ୍ତ୍ୱେ ଫେରସ୍ତ ନ ଦେବାରୁ ଜମାକାରୀ ମାନେ ସାହାରା ଇଣ୍ଡିଆର ବିଭିନ୍ନ ଅଫିସ୍ ଏବଂ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟାଳୟରେ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସାହାରା ବିରୁଦ୍ଧରେ ସରକାର କୌଣସି ପଦକ୍ଷେପ ନେଲେ ନାହିଁ କିମ୍ବା ଓପିଡା ଆଇନ ଅନୁସାରେ ଜିଲ୍ଲାରେ କୌଣସି ଥାନାରେ ଏତାଲା ମଧ୍ୟ ରଖିଲେ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଅସାଧୁ ସାହାରା କମ୍ପାନୀ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର କରିଥିବାରୁ ଅବିଳମ୍ବେ ସାହାରା ମାଲିକ, ନିର୍ଦ୍ଦେଶକ, ଆଂଚଳିକ ମୁଖ୍ୟ ମାନଙ୍କୁ ଗିରଫ୍ କରି ସାହାରା ଗ୍ରୁପର ବ୍ୟାଙ୍କ ଜମା, ସମ୍ପତ୍ତିଜବତ ସହ ନିଲାମ କରି ସାହାରା ଜମାକାରୀଙ୍କୁ ଫେରସ୍ତ, ଅନଧିକୃତ ଜମାରାଶି ସଂଗ୍ରହ ମହା ଠକେଇ ତଦନ୍ତ କରୁଥିବା କମିଶନକୁ ଚୁଡାନ୍ତ ରିପୋର୍ଟ ଓ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପୂର୍ବରୁ ବନ୍ଦ କରାଯାଇଥିବାରୁ ଅନ୍ୟାନ୍ୟ ସମସ୍ତ ଜମାକାରୀ ମାନଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ସେମାନଙ୍କ ଜମା ଟଙ୍କା ଉପରେ ସୁଧ ହାର ଯୋଡି ଫେରସ୍ତ ପାଇଁ ସେମାନେ ଦାବି କରିଛନ୍ତି । ଆଜିର ଏହି ଗଣ ସତ୍ୟାଗ୍ରହକୁ ଆମ ଆଦମି ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭଳୀ ବିଭିନ୍ନ ଦଳ ମଧ୍ୟ ସମର୍ଥନ ଜଣାଇ ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଏହି ସତ୍ୟାଗ୍ରହରେ ମିଳିତ ମଂଚ ଆବାହକ ଜୟନ୍ତ ଦାସ, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦ୍ଖଳ ରବି ଦାସ, ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ସାହାରା ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢୀ, ଉପସଭାପତି ସୁନୀଲ କୁମାର ଦାଶ, ସମ୍ପାଦକ ସଞ୍ଜୀବ ପଣ୍ଡା, ଆର୍ଥୀକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଶୈଳବାଳା ପଣ୍ଡା, ଦେବେନ୍ଦ୍ର ବେହେରା, କୃଷ୍ଣନନ୍ଦ ପଣ୍ଡା, କୁମୁନ୍ଦ ପାଢୀ, କାହ୍ନୁ ଚରଣ ସ୍ୱାଇଁ, ସନ୍ତୋଷ ପାତ୍ର, ରବି ନାରାୟଣ ସାହୁ, ସନ୍ତୋଷ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଜମାକାରୀ ମାନେ ସାମିଲ ଥିଲେ ।


