‘ମିଷ୍ଟର ଇଣ୍ଡିଆ’କୁ ନେଇ ବଢ଼ିଲା ଟ୍ବିଟର ୱାର୍
ମୁମ୍ବାଇ : ନିର୍ଦ୍ଦେଶକ ଅଲୀ ଆବ୍ବାସ ଜାଫର ଯେବେଠାରୁ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି, ସେବେଠାରୁ ବିବାଦ ଥମିବାର ନାଁ ନେଉ ନାହିଁ। ଅନୀଲ କପୁର ଓ ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ୍କୁ ନେଇ ଟ୍ବିଟରରେ ସେଲିବ୍ରିଟିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି। କିଛି ଦିନ ତଳେ ସୋନମ କପୁର ଓ ଶେଖର କପୁର ଏହି ଫିଲ୍ମକୁ ନେଇ ଟ୍ବିଟ୍ କରିଥିଲେ। ଏବେ ଲେଖକ ଜାଭେଦ ଅଖତର ମଧ୍ୟ ଶେଖର କପୁରଙ୍କ ଟ୍ବିଟରରେ ଜବାବ ଦେଇଥିବା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଅଲୀ ଅବ୍ବାସ ଜାଫର ‘ମିଷ୍ଟର ଇଣ୍ଡିଆ’ ସିନେମାର ରିମେକ୍ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ଫିଲ୍ମ ସହିତ ଜଡ଼ିତ ଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଏହି ମାମଲାରେ ଜାଭେଦ ଅଖତର ନିର୍ଦ୍ଦେଶକ ଶେଖର କପୁରଙ୍କୁ ଏଣୁ ତେଣୁ ଶୁଣାଇଛନ୍ତି। ଶେଖର ଟ୍ବିଟ୍ କରିଥିଲେ ଯେ ‘ମିଷ୍ଟର ଇଣ୍ଡିଆ’ର ରିମେକ୍ କରିବାବେଳେ କେହି ତାଙ୍କର ଅନୁମତି ନେଇ ନ ଥିଲେ କିମ୍ବା ତାଙ୍କୁ ପଚାରି ନ ଥିଲେ। ତେବେ ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯଦି କେହି କୌଣସି ଫିଲ୍ମର ରିମେକ୍ ତିଆରି କରୁଛନ୍ତି ଏବଂ ତାହା କୌଣସି ନିର୍ଦ୍ଦେଶକଙ୍କ ବହୁତ ସଫଳ କାମ ଉପରେ ଆଧାରିତ, ତେବେ ଉକ୍ତ ନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ଉଚିତ ନୁହେଁ କି ? ଉକ୍ତ ନିର୍ଦ୍ଦେଶକଙ୍କର ଏଭଳି ଫିଲ୍ମ ଉପରେ କ୍ରିଏଟିଭ ଅଧିକାର ନାହିଁ କି?
ଶେଖରଙ୍କ ଏହି ଟ୍ବିଟ୍ ପରେ ଏବେ ‘ମିଷ୍ଟର ଇଣ୍ଡିଆ’ର ସ୍କ୍ରିପ୍ଟ ରାଇଟର ଓ ଷ୍ଟୋରୀ ରାଇଟର ଜାଭେଦ ଅଖତର କଡ଼ା ଜବାବ ଦେଇଛନ୍ତି। ଜାଭେଦ ଲେଖିଛନ୍ତି ଯେ ଶେଖର ସାହବ କାହାଣୀ, ସିଚୁଏସନ୍, ସିନ୍, ଚରିତ୍ର, ସଂଳାପ, ଲିରିକ୍ସ ଏପରିକି ଟାଇଟଲ ମଧ୍ୟ ଆପଣଙ୍କର ନ ଥିଲା। ଏସବୁ ଜିନିଷ ମୁଁ ଆପଣଙ୍କୁ ଦେଇଥିଲି। ଏକଥା ସତ ଯେ ଏହାକୁ ଆପଣ ଭଲ ଭାବେ ସଜାଇଥିଲେ। ତେବେ ଏହା ଉପରେ ଆପଣଙ୍କ ଦାବି ମୋ ଠାରୁ କେମିତି ଅଧିକ ହୋଇଗଲା ? ‘ମିଷ୍ଟର ଇଣ୍ଡିଆ’ ଆପଣଙ୍କ ଆଇଡିଆ ନ ଥିଲା, ଏହା ଆପଣଙ୍କ ସ୍ବପ୍ନ ନ ଥିଲା ବୋଲି ଜାଭେଦ ଶେଖରଙ୍କୁ ଜବାବ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଅନୀଲ କପୁରଙ୍କ ଝିଅ ସୋନମ କପୁର ଏହି ସିନେମାର ରିମେକ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏହି ଫିଲ୍ମର ରିମେକ୍ କରିବାବେଳେ କେହି ତାଙ୍କ ପିତାଙ୍କୁ ଏ ସମ୍ପର୍କରେ ଜଣାଇ ନାହାନ୍ତି। ଏବେ ଦେଖିବାକୁ ବାକି ରହିଲା, ଅଲୀ ଅବ୍ବାସ ଜାଫର ଏହା ଉପରେ କ’ଣ ପ୍ରତିକ୍ରିୟା ଦେଉଛନ୍ତି।


