ମୁକ୍ତିଧାମ ନା ନର୍କଧାମ ମଶାଣିରୁ ଫେରିଲା ଶବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆପଣ କେବେ ଶୁଣିଛନ୍ତି କି ମଶାଣିରୁ ଶବ ଫେରିକି ଯାଏ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ନିରାଟ ସତ୍ୟ । ସାଧାରଣତଃ ମଶାଣିରୁ କେବେ ଶବ ଫେରି କି ଯାଇ ନଥାଏ । ମଶାଣିରେ ଶବ ପୋଡ଼ାଯାଏ ଅଥବା ପୋତାଯାଇଥାଏ । ଘଟଣାଟି କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବା ଉପାନ୍ତ ଅଞ୍ଚଳର କଥା ନୁହେଁ । ଖୋଦ୍ ରାଜ୍ୟ ରାଜଧାନୀ ସ୍ମାର୍ଟ ନଗରୀ ଭୁବନେଶ୍ୱରର ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଦୃଢ଼ ନିନ୍ଦା ବି କରାଯାଇଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶବଦାହ ପାଇଁ ଏଠାରେ ନିର୍ମିତ ହୋଇଛି ‘ମୁକ୍ତିଧାମ’ । ଆଧୁନିକ ଜ୍ଞାନ କୌଶଳ ସହାୟତାରେ ଗ୍ୟାସ୍ ଦ୍ୱାରା ଏଠାରେ ସମ୍ପୂର୍ଣ୍ଣ ଦେୟମୁକ୍ତ ରୂପେ ଶବ ସତ୍କାର କରାଯାଇଥାଏ । କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଏହି ଅତ୍ୟାଧୁନିକ ପରିବେଶ ଅନୁକୁଳ ଶବଦାହ ଚୁଲା । ମଶାଣିକୁ ଜଗି ରହିଛନ୍ତି ଗଣ୍ଡା ଗଣ୍ଡା ସୁରକ୍ଷାକର୍ମୀ । ଶବସତ୍କାର ଲାଗି ନିଯୁକ୍ତି ହୋଇଛନ୍ତି ଅନେକ କର୍ମଚାରୀ । ମାସକୁ ମାସ ଏନେଇ ତହବିଲରୁ ଖର୍ଚ୍ଚ ଚାଲିଛି ଅଜସ୍ର ଟଙ୍କା । ଯଦି ଶବଦାହ ସମୟରେ ହଠାତ୍ ଏଠାରେ କରେଣ୍ଟ ଚାଲିଯାଏ ତେବେ ଆପଣଙ୍କ ଭାଗ୍ୟ ଖରାପ ପଡ଼ିଗଲା ବୋଲି ଜାଣ । ବଡ଼ ଜେନେରେଟର ଅଛି କିନ୍ତୁ ଅକାମୀ । ଖୋଲା ମେଲା ଅବସ୍ଥାରେ ଶୀତ କାକର, ଖରାବର୍ଷାରେ ଜେନେରେଟର ଟି ବାହାରେ ସଢ଼ୁଛି । କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ବିଭାଗୀୟ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଠାରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଗରିବ ଠୁ ଧନୀ ପର୍ଯ୍ୟନ୍ତ କେତେ ଲୋକ ରାତି ପାହିଲେ କେତେ ଆଶା ଭରସା ନେଇ ଏଠାକୁ ଧାଇଁ ଆସିଥାନ୍ତି କିନ୍ତୁ ଗଲାବେଳେ ମାନସିକ ନିର୍ଯ୍ୟାତନା ନେଇ ଘରକୁ ଫେରିଥାନ୍ତି । ଗତକାଲି ଏଭଳି ଘଟଣା ଘଟିଛି ଉକ୍ତ ଶ୍ମଶାନରେ । ଯାହା ଉକ୍ତ ଅଞ୍ଚଳରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳର ରାଧାଚରଣ ସାହୁ ନାମକ ଜନୈକ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିଲା । ପରିବାର ଓ ଆତ୍ମୀୟସ୍ୱଜନମାନେ ତାଙ୍କୁ ଘର ନିକଟସ୍ଥ ଏହି ଶ୍ମଶାନକୁ ଶବ ସତ୍କାର ଲାଗି ନେଇଥିଲେ । ଶବସତ୍କାର କରିବା ପୂର୍ବରୁ କରେଣ୍ଟ ଚାଲିଯାଇଥିଲା । କରେଣ୍ଟ ଆସିଥିଲା ୧ଘଣ୍ଟା ପରେ ଅର୍ଥାତ୍ ଦିବା ୩ଘଟିକା ସମୟରେ । କିନ୍ତୁ ଦାୟିତ୍ୱରେ ରହିଥିବା ମେସିନ୍ ଅପରେଟର ମେସିନ୍କୁ ଷ୍ଟାର୍ଟ କରିପାରିନଥିଲେ । ଶବଦାହ ପାଇଁ ନା ଏଠାରେ ରହିଛି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଶବକୁ ସତ୍ୟନଗର ସ୍ଥିତ ଶ୍ମଶାନକୁ ନେଇଯାଇଥିଲେ । ଇଏ ମୁକ୍ତିଧାମ ନୁହେଁ ଇଏ ନର୍କଧାମ ବୋଲି ଆତ୍ମୀୟସ୍ୱଜନମାନେ ପ୍ରକାଶ କରିଥିଲେ । ଏନେଇ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ଏହାର ମରାମତି କାର୍ଯ୍ୟ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଛନ୍ତି ।


