ମୁନସୀ ପ୍ରେମଚନ୍ଦଙ୍କ ରଚନାବଳୀର ବିଶେଷ ପ୍ରାସଙ୍ଗିକତା ବର୍ତ୍ତମାନ ସମୟରେ ରହିଛି
ବଲାଙ୍ଗିର/ପୁଇଁତଳା : ସବୁ ଯୁଗରେ ଦଳିତ, ନିଷ୍ପେସିତ ମଣିଷର ସ୍ୱର ଉତ୍ତୋଳନ ପାଇଁ କଲମ ହିଁ ମୁଖ୍ୟ ଭୂମିକା ନେଇଥାଏ । ସେଭଳି କଲମର ଜଣେ ସାରସ୍ୱତ ସମ୍ରାଟ ହେଉଛନ୍ତି ପ୍ରେମଚନ୍ଦ । ବର୍ତ୍ତମାନ ସମୟରେ ମଧ୍ୟ ପ୍ରେମଚନ୍ଦଙ୍କ ରଚନାବଳୀ ର ବିଶେଷ ପ୍ରାସଙ୍ଗିକତା ରହିଛି ବୋଲି ପ୍ରେମଚନ୍ଦ ଜୟନ୍ତୀ ପାଳନ ଅବସରରେ ନିମନ୍ତ୍ରୀତ ଅତିଥି ମତ ବ୍ୟକ୍ତ କରିଥିଲେ । ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରେମଚନ୍ଦଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁଇଁନ୍ତଳା ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀ, ସୁଧାଂଶୁ ଶେଖର ପଧାନ, ସୁବାଷିନୀ ସେଠୀ, ନିରୋତ୍ତମା ବିଶ୍ୱାଳ, ସୁଷମା ମେହେର, ତପନ ବୁଡେକ, ଅଶ୍ୱିନୀ ମହାଲିଙ୍ଗ ପ୍ରମୁଖ ମୁନସୀ ପ୍ରେମଚନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ମୁନସୀ ପ୍ରେମଚନ୍ଦଙ୍କ କାହାଣୀ ଓ ଉପନ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ରଞ୍ଜିତ ମିଶ୍ର ପରିଚାଳନା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ସୁଧାଂଶୁ ଶେଖର ପଧାନ । ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଅମୂଲ୍ୟ ଦୋରା ଓ ଜଗନ୍ନାଥ ଯୋଶୀ ସହଯୋଗ କରିଥିଲେ ।


